ନ୍ୟୁଜ ଡେକ୍ସ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରର ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପୁରୀ ସାଂସଦ ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ବଡ଼ଦାଣ୍ଡରେ ହଜାର ହଜାର ଭକ୍ତଙ୍କ ସହ ସେମାନେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରିଥିଲେ।
ଆଜି ମଙ୍ଗଳ ଆରତୀ ପରେ ପହଣ୍ଡି ବିଜେ ମାଧ୍ୟମରେ ଶ୍ରୀଜିଉଙ୍କୁ ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଦେବୀ ସୁଭଦ୍ରା, ବଡ଼ଠାକୁର ବଳଭଦ୍ର ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ସ୍ନାନବେଦୀରେ ବିରାଜମାନ କରିଥିଲେ। ପରମ୍ପରା ଅନୁଯାୟୀ ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ ଅନୁଷ୍ଠିତ ହେଉଛି।ନୀତି ଅନୁଯାୟୀ ମହାପ୍ରଭୁ ଜଗନ୍ନାଥଙ୍କୁ ୩୫ ଗଡୁ, ବଳଭଦ୍ରଙ୍କୁ ୩୩ ଗଡୁ, ଦେବୀ ସୁଭଦ୍ରାଙ୍କୁ ୨୨ ଗଡୁ ଏବଂ ସୁଦର୍ଶନଙ୍କୁ ୧୮ ଗଡୁ ଜଳ ଲାଗି କରାଯାଇଥାଏ।
ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶ ଅନୁଷ୍ଠିତ ହେବ। ସେହିପରି ସନ୍ଧ୍ୟା ୭ଟା ୩୦ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଭକ୍ତମାନଙ୍କ ପାଇଁ ସାହାଣମେଳା ଦର୍ଶନ ବ୍ୟବସ୍ଥା କରାଯାଇଛି।ଦେବସ୍ନାନ ପୂର୍ଣ୍ଣିମା ଶ୍ରୀଜଗନ୍ନାଥ ସଂସ୍କୃତିର ଅନ୍ୟତମ ପ୍ରମୁଖ ପର୍ବ। ବର୍ଷସାରା ମହାପ୍ରଭୁଙ୍କ ବିମ୍ବ ସ୍ନାନ କରାଯାଉଥିବାବେଳେ ଏହି ପବିତ୍ର ତିଥିରେ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ନୀତି ସମ୍ପନ୍ନ ହୋଇଥାଏ।

