Mon. Jun 29th, 2026

ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ହିଂସାତ୍ମକ ଘଟଣା ସାମ୍ନାକୁ ଆସିଛି। ଲିଙ୍ଗରାଜ ଥାନା ଅନ୍ତର୍ଗତ ମୂଳାପଡ଼ିଆ ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଅତର୍କିତ ଭାବେ ଆକ୍ରମଣ କରି ଗୁରୁତର ଆହତ କରିଛନ୍ତି। ଆହତ ଯୁବକ ଜଣକ ହେଲେ ସନ୍ଦୀପ ସମର୍ଥ।ସୂଚନା ଅନୁସାରେ, ସନ୍ଦୀପ ମୂଳାପଡ଼ିଆ ଅଞ୍ଚଳ ଦେଇ ଯାଉଥିବା ବେଳେ ପୂର୍ବରୁ ଛକି ରହିଥିବା କିଛି ଦୁର୍ବୃତ୍ତ ତାଙ୍କ ରାସ୍ତା ଅଟକାଇଥିଲେ। ଏହାପରେ ସେମାନେ ଧାରୁଆ ଅସ୍ତ୍ରରେ ତାଙ୍କ ଉପରେ ଆକ୍ରମଣ କରିଥିଲେ।

ନିଜକୁ ବଞ୍ଚାଇବାକୁ ସନ୍ଦୀପ ଚେଷ୍ଟା କରିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣରେ ତାଙ୍କ ହାତ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା।ଆକ୍ରମଣ ପରେ ରକ୍ତାକ୍ତ ଅବସ୍ଥାରେ ସନ୍ଦୀପ ସେଠାରେ ପଡ଼ି ରହିଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ବର୍ତ୍ତମାନ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି।ଘଟଣାର ଖବର ପାଇ ଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତା କିମ୍ବା ଗୋଷ୍ଠୀଗତ ବିବାଦକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଥିବାବେଳେ ଫେରାର ଅଭିଯୁକ୍ତମାନଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Leave a Reply

Your email address will not be published. Required fields are marked *