ନ୍ୟୁଜ ଡେକ୍ସ : ରାଜଧାନୀରେ ପୁଣିଥରେ ଦେଖିବାକୁ ମିଳିଛି ଆତଙ୍କର ଚିତ୍ର। ଜନଗହଳିପୂର୍ଣ୍ଣ ଶ୍ରୀୟା ଚିତ୍ରମନ୍ଦିର ସମ୍ମୁଖ ବଜାରରେ ବିରିଆନୀ ବିଲ୍କୁ କେନ୍ଦ୍ର କରି ଘଟିଛି ଭୟଙ୍କର ଆକ୍ରମଣ। ଦୁଇ ହାତରେ ଖଣ୍ଡା ଧରି ଆସିଥିବା ଚାରି ଜଣ ଦୁର୍ବୃତ୍ତ ଜଣେ ବିରିଆନୀ ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବାବେଳେ ଆଖପାଖର ଏକାଧିକ ଖାଦ୍ୟ ଦୋକାନରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାରେ ଜଣେ ବିରିଆନୀ ବ୍ୟବସାୟୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଲୋକମାନେ ପ୍ରାଣ ବଞ୍ଚାଇବା ପାଇଁ ଦୌଡ଼ାଦୌଡ଼ି କରିଥିଲେ। ଆକ୍ରମଣ ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ।ଘଟଣାର ଖବର ପାଇବା ପରେ ତୁରନ୍ତ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଖପାଖରେ ଲାଗିଥିବା ନଜରଦାରୀ ଯନ୍ତ୍ରର ଚିତ୍ର ଯାଞ୍ଚ କରାଯାଉଥିବାବେଳେ ଅଭିଯୁକ୍ତମାନଙ୍କ ସନ୍ଧାନ ଜୋରଦାର କରାଯାଇଛି।ସୂଚନା ଅନୁସାରେ, ଅପରାହ୍ନ ସମୟରେ ଜଣେ ଗୁପଚୁପ ବ୍ୟବସାୟୀ ଓ କିଛି ଯୁବକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ପରେ ସେହି ଯୁବକମାନଙ୍କର ଜଣେ ବିରିଆନୀ ବ୍ୟବସାୟୀଙ୍କ ସହ ମାତ୍ର ୭୦ ଟଙ୍କାକୁ କେନ୍ଦ୍ର କରି ଝଗଡ଼ା ହୋଇଥିଲା। ଏହାପରେ ସେମାନେ ସେଠାରୁ ଚାଲିଯାଇଥିଲେ, କିନ୍ତୁ ରାତିରେ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ପୁଣି ଫେରି ଆସିଥିଲେ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଚାରି ଜଣ ଦୁର୍ବୃତ୍ତ ଦୁଇଟି ଯାନରେ ଆସି ଘଟଣାସ୍ଥଳଠାରୁ କିଛି ଦୂରରେ ଯାନ ରଖିଥିଲେ। ପରେ ସେମାନେ ଲମ୍ବା ଖଣ୍ଡା ଧରି ବଜାର ମଧ୍ୟକୁ ପ୍ରବେଶ କରିଥିଲେ। ସେଠାରେ ସେମାନେ ବିରିଆନୀ ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଏଥିସହ ଗୁପଚୁପ, ମୋମୋ ଓ ଅନ୍ୟାନ୍ୟ ଖାଦ୍ୟ ଦୋକାନ ଉପରେ ମଧ୍ୟ ଆକ୍ରମଣ କରି ଭଙ୍ଗାରୁଜା କରିଥିଲେ।ଘଟଣା ପରେ ବଜାର ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାବେଳେ ଲୋକମାନେ ରାଜଧାନୀରେ ବଢ଼ୁଥିବା ଅପରାଧିକ କାର୍ଯ୍ୟକଳାପକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ପୁଲିସ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବା ସହ ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି।

