ନ୍ୟୁଜ ଡେକ୍ସ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ରାମନଗର ଅଞ୍ଚଳର ଭାଜପା ବୁଥ୍ ସଭାପତି ତପନ ଦାସଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକ ଓ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଛି।ପ୍ରାଥମିକ ସୂଚନା ଅନୁସାରେ, କିଛି ଦୁର୍ବୃତ୍ତ ତପନ ଦାସଙ୍କ ମୁଣ୍ଡକୁ କାଠ ଫାଳିଆରେ ବାରମ୍ବାର ଆଘାତ କରିଥିଲେ।
ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟା ପରେ ଅପରାଧର ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ଅନ୍ୟ ଏକ ସ୍ଥାନକୁ ନେଇ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।ସୂଚନା ମୁତାବକ, ସାମାନ୍ୟ ବଚସାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ହତ୍ୟା ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ତାହାର ମଧ୍ୟ ତଦନ୍ତ କରାଯାଉଛି।ଘଟଣାର ଖବର ପାଇ ଜମ୍ବୁ ସାମୁଦ୍ରିକ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।
ଏହି ମାମଲାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବାବେଳେ ତାଙ୍କୁ ପଚରାଉଚରା କରାଯାଉଛି। ପୁଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଛି।ଏହି ହତ୍ୟାକାଣ୍ଡ ପରେ ରାମନଗର ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଲୋକମାନେ ଦୋଷୀଙ୍କୁ ଶୀଘ୍ର ଗିରଫ କରି କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି। ପୁଲିସ ପକ୍ଷରୁ ମଧ୍ୟ ଘଟଣାର ଶୀଘ୍ର ଖୁଲାସା କରାଯିବ ବୋଲି ସୂଚନା ମିଳିଛି।

