ନ୍ୟୁଜ ଡେକ୍ସ : ଆଉ ଦୁଇ ଦିନ ପରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହେବ। ଏହି ଅବସରରେ ଚତୁର୍ଦ୍ଧା ବିଗ୍ରହ ରତ୍ନସିଂହାସନରୁ ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ କରି ଭକ୍ତମାନଙ୍କୁ ଦର୍ଶନ ଦେବେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରୁଖୁରୁରେ ନୀତି ସମ୍ପାଦନ, ଜଳଲାଗି ଓ ହାତୀ ବେଶ ନୀତିକୁ ସୁଚାରୁ ଭାବେ ସମ୍ପନ୍ନ କରିବା ସହ ବ୍ୟାପକ ଜନସମାଗମକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଯାତାୟାତ ବ୍ୟବସ୍ଥା କରାଯାଇଛି।
ପୁଲିସ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଦୁଇ ଚକିଆ ଯାନରେ ଭୁବନେଶ୍ୱର, ବ୍ରହ୍ମଗିରି କିମ୍ବା କୋଣାର୍କ ପଟୁ ଆସୁଥିବା ଯାତ୍ରୀମାନେ ମାର୍କେଟ ଛକ ପର୍ଯ୍ୟନ୍ତ ଯାଇପାରିବେ। ମାର୍କେଟ କମ୍ପ୍ଲେକ୍ସ ନିକଟରେ ଏବଂ ପୁରୁଣା ଜଗନ୍ନାଥ ବଲ୍ଲଭଠାରେ ଦୁଇ ଚକିଆ ଯାନ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି। ଫେରିବା ବେଳେ ପୁରୁଣା ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିଥିବା ଯାତ୍ରୀମାନେ ନରେନ୍ଦ୍ର କୋଣ ଓ ଜଟିଆ ବାବା ଛକ ଦେଇ ଫେରିବେ। ମାର୍କେଟ କମ୍ପ୍ଲେକ୍ସରେ ପାର୍କିଂ କରିଥିବା ଯାତ୍ରୀମାନେ ମେଡିକାଲ ଛକ ଦେଇ ଫେରିବେ। ସମୁଦ୍ରକୂଳକୁ ଯାଉଥିବା ଦୁଇ ଚକିଆ ଯାନ ଦିଗବାରିଣୀ ନିକଟରେ ପାର୍କିଂ କରିବେ।ହାଲୁକା ଚାରି ଚକିଆ ଯାନରେ ଭୁବନେଶ୍ୱର ପଟୁ ଆସୁଥିବା ଯାତ୍ରୀମାନେ ସାକ୍ଷୀଗୋପାଳ, ମାଳତୀପାଟପୁର, ବାଟଗାଁ ଓ ଶ୍ରୀସେତୁ ଦେଇ ନୂଆ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଗାଡ଼ି ରଖିବେ।
ସେଠାରେ ସ୍ଥାନ ନଥିଲେ ଜେଲ ରାସ୍ତା, ଶରଧାବାଲି, ବ୍ଲୁ ଫ୍ଲାଗ ସମୁଦ୍ରକୂଳ, ହୋଟେଲ ନୀଳାଚଳ ଅଶୋକ ଓ ଶେଷରେ ତାଳବଣିଆ ପାର୍କିଂରେ ଗାଡ଼ି ରଖିବାକୁ ପରାମର୍ଶ ଦିଆଯାଇଛି।ବ୍ରହ୍ମଗିରି ପଟୁ ଆସୁଥିବା ଯାତ୍ରୀମାନେ ଶ୍ରୀସେତୁ ଦେଇ ନୂଆ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଗାଡ଼ି ରଖିବେ। ଏହାଛଡ଼ା ମଙ୍ଗଳାଘାଟ ଛକ ଓ ଷ୍ଟର୍ଲିଂ ଛକ ଦେଇ ଯାତ୍ରିକା ପାର୍କିଂରେ ମଧ୍ୟ ଗାଡ଼ି ରଖିପାରିବେ। ସମୁଦ୍ରକୂଳକୁ ଯାଉଥିବା ଯାତ୍ରୀମାନଙ୍କ ପାଇଁ ମଧ୍ୟ ଯାତ୍ରିକା ପାର୍କିଂ ବ୍ୟବହାର କରିବାକୁ କୁହାଯାଇଛି।କୋଣାର୍କ ପଟୁ ଆସୁଥିବା ଯାତ୍ରୀମାନେ ବାଇଦାସ ନଗର, ଗ୍ରୀଡ ଷ୍ଟେସନ, ପେଣ୍ଠକଟା, ସହର ରାସ୍ତା ଓ ସୁଭାଷ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ ସମୁଦ୍ରକୂଳ ଏବଂ ହୋଟେଲ ନୀଳାଚଳ ଅଶୋକ ପାର୍କିଂରେ ଗାଡ଼ି ରଖିବେ। ଏହି ପାର୍କିଂ ସ୍ଥାନଗୁଡ଼ିକ ପୂର୍ଣ୍ଣ ହୋଇଗଲେ ଭୂଦାନ ଛକ ଦେଇ ତାଳବଣିଆ ଓ ଔଦ୍ୟୋଗିକ ତାଲିମ ପ୍ରତିଷ୍ଠାନ ପାର୍କିଂକୁ ଯିବାକୁ ପୁଲିସ ପରାମର୍ଶ ଦେଇଛି।ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ପୁରୀକୁ ଆସିବେ ବୋଲି ଆଶା କରାଯାଉଥିବାରୁ ପୁଲିସ ପକ୍ଷରୁ ଜାରି କରାଯାଇଥିବା ଯାତାୟାତ ନିର୍ଦ୍ଦେଶାବଳୀ ପାଳନ କରି ସହଯୋଗ କରିବାକୁ ସମସ୍ତ ଯାତ୍ରୀଙ୍କୁ ଅନୁରୋଧ କରାଯାଇଛି।

