ନ୍ୟୁଜ ଡେକ୍ସ : ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ଦର ପୁଣିଥରେ ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୭ ପଇସା ଏବଂ ଡିଜେଲ ୯୧ ପଇସା ମହଙ୍ଗା ହୋଇଛି। ମେ ମାସରେ ଏହା ତୃତୀୟ ଥର ପାଇଁ ଇନ୍ଧନ ମୂଲ୍ୟ ବୃଦ୍ଧି ହୋଇଥିବାରୁ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଛି।ଏହି ସପ୍ତାହର ଆରମ୍ଭରେ ପ୍ରତି ଲିଟରରେ ୯୦ ପଇସା ବୃଦ୍ଧି ହୋଇଥିବା ବେଳେ କିଛି ଦିନ ପୂର୍ବରୁ ପ୍ରତି ଲିଟରରେ ୩ ଟଙ୍କା ବୃଦ୍ଧି କରାଯାଇଥିଲା।
ଫଳରେ ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ପ୍ରାୟ ୫ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଯାଇଛି।ଇନ୍ଧନ ମୂଲ୍ୟ ବୃଦ୍ଧିର ପ୍ରମୁଖ କାରଣ ହେଉଛି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରର ଉଛାଳ। ପଶ୍ଚିମ ଏସିଆରେ ଜାରି ଉତ୍ତେଜନା ଏବଂ ଆମେରିକା-ଇରାନ ମଧ୍ୟରେ ଅନିଶ୍ଚିତ ପରିସ୍ଥିତି ଯୋଗୁଁ ବିଶ୍ୱ ତୈଳ ବଜାର ଅସ୍ଥିର ରହିଛି। ଶୁକ୍ରବାର ବ୍ରେଣ୍ଟ ଅଶୋଧିତ ତୈଳ ବ୍ୟାରେଲ ପ୍ରତି ୧୦୪ ଡଲାର ଉପରେ ପହଞ୍ଚିଥିବା ବେଳେ US WTI ଅଶୋଧିତ ତୈଳ ବ୍ୟାରେଲ ପ୍ରତି ପ୍ରାୟ ୯୭ ଡଲାରରେ କାରବାର କରୁଥିଲା। ଭାରତ ନିଜର ପ୍ରାୟ ୮୫ ପ୍ରତିଶତ ଅଶୋଧିତ ତୈଳ ବିଦେଶରୁ ଆମଦାନି କରୁଥିବାରୁ ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧିର ସିଧା ପ୍ରଭାବ ଦେଶର ଇନ୍ଧନ ମୂଲ୍ୟ ଉପରେ ପଡ଼ୁଛି।
ସରକାରୀ ତେଲ କମ୍ପାନୀଗୁଡ଼ିକ ଦୀର୍ଘ ସମୟ ଧରି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରଖିଥିଲେ। କେନ୍ଦ୍ର ସରକାରଙ୍କ ଅନୁଯାୟୀ, ଏହି କମ୍ପାନୀଗୁଡ଼ିକ ପ୍ରତିମାସ ପ୍ରାୟ ୧,୦୦୦ କୋଟି ଟଙ୍କା କ୍ଷତି ସହୁଥିଲେ। ଏହାକୁ ଦୃଷ୍ଟିରେ ରଖି ସେମାନେ ଏବେ ପର୍ଯ୍ୟାୟକ୍ରମେ ମୂଲ୍ୟ ବୃଦ୍ଧି କରୁଛନ୍ତି।ଏପଟେ ଭାରତ ମେ ମାସରେ ଶସ୍ତା ଅଶୋଧିତ ତୈଳ କ୍ରୟ ବଢ଼ାଇଥିବା ସୂଚନା ମିଳିଛି। ଏହା ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଉପରେ ଚାପ କମାଇପାରେ ବୋଲି ଅନୁମାନ କରାଯାଉଛି।

