ନ୍ୟୁଜ ଡେକ୍ସ : ବିଶ୍ବର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟରେ ଗୋଟିଏ ଦିନରେ ୨୭୪ ଜଣ ପର୍ବତାରୋହୀ ପହଞ୍ଚି ନୂଆ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି । ବୁଧବାର ଏହି ସମସ୍ତ ପର୍ବତାରୋହୀ ସଫଳତାର ସହ ଏଭରେଷ୍ଟ ଶିଖର ଆରୋହଣ କରିଥିବା ସୂଚନା ମିଳିଛି । ଏହି ଅଭିଯାନରେ ଭାରତର ୩ ଜଣ ଏବଂ ନେପାଳର ୧୫୦ ଜଣ ପର୍ବତାରୋହୀ ସାମିଲ ଥିଲେ ।
ଏଭରେଷ୍ଟ ବିଜୟ କରିଥିବା ଭାରତୀୟ ପର୍ବତାରୋହୀମାନେ ହେଲେ ତୁଳସୀ ରେଡ୍ଡି, ସନ୍ଦୀପ ଆରେ ଓ ଅଜୟ ପାଲ ସିଂହ ଧାଲିୱାଲ । ତିନିଜଣଙ୍କ ଏହି ସଫଳତାକୁ ନେଇ ଭାରତୀୟ ପର୍ବତାରୋହଣ ମହଳରେ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି ।ଏହାପୂର୍ବରୁ ୨୦୧୯ ମସିହା ମେ’ ମାସରେ ଗୋଟିଏ ଦିନରେ ୨୨୩ ଜଣ ପର୍ବତାରୋହୀ ଏଭରେଷ୍ଟ ଶିଖରରେ ପହଞ୍ଚିଥିଲେ ।
ଚଳିତବର୍ଷ ସେହି ରେକର୍ଡ ଭଙ୍ଗ ହୋଇ ୨୭୪ ଜଣଙ୍କ ନୂଆ କୀର୍ତ୍ତିମାନ ସୃଷ୍ଟି ହୋଇଛି ।ଏପଟେ ନେପାଳର ପ୍ରସିଦ୍ଧ ପର୍ବତାରୋହୀ କାମି ରିଟା ଶେରପା ପୁଣିଥରେ ନିଜ ନାମରେ ନୂଆ ରେକର୍ଡ ଯୋଡ଼ିଛନ୍ତି । ସେ ଚଳିତବର୍ଷ ୩୨ତମ ଥର ପାଇଁ ଏଭରେଷ୍ଟ ଆରୋହଣ କରି ନିଜର ପୂର୍ବତନ ବିଶ୍ବ ରେକର୍ଡକୁ ଭଙ୍ଗ କରିଛନ୍ତି । ପର୍ବତାରୋହଣ କ୍ଷେତ୍ରରେ କାମି ରିଟାଙ୍କ ଏହି ଅବଦାନକୁ ବିଶ୍ବସ୍ତରରେ ପ୍ରଶଂସା କରାଯାଉଛି ।

