Thu. Jun 4th, 2026

ନ୍ୟୁଜ ଡେକ୍ସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପାଞ୍ଚଟି ରାଷ୍ଟ୍ର ଗସ୍ତ ଶେଷ କରି ଗୁରୁବାର ଦିଲ୍ଲୀ ଫେରିଛନ୍ତି। ବିଦେଶ ଗସ୍ତ ସମୟରେ ସେ ବିଶ୍ୱ ନେତାଙ୍କ ପାଇଁ ଭାରତୀୟ ପରମ୍ପରା ଓ ସଂସ୍କୃତିର ପରିଚୟ ବହନ କରୁଥିବା ଅନେକ ଅନନ୍ୟ ଉପହାର ସାଙ୍ଗରେ ନେଇଥିଲେ। ଏହି ଉପହାର ମଧ୍ୟରେ ଭାରତର ହସ୍ତତନ୍ତ, ଆଦିବାସୀ ଚିତ୍ରକଳା, ଶାସ୍ତ୍ରୀୟ ସଂଗୀତ ସଙ୍କଳନ, ବିରଳ କୃଷିଜାତ ଦ୍ରବ୍ୟ, ଜିଆଇ ଟ୍ୟାଗ ଥିବା ହସ୍ତଶିଳ୍ପ ଓ ଐତିହ୍ୟ ସମ୍ପନ୍ନ କଳାକୃତି ସାମିଲ ଥିଲା।

ତେବେ ଏଥିରେ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ଓ ରୂପା ତାରକସି କଳାକୃତି ବିଶେଷ ଆକର୍ଷଣ ସାଜିଥିଲା।ନରୱେ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓସ୍ଲୋରେ ନରୱେର ରାଜା ହାରାଲ୍ଡ ଭି ଓ ମହାରାଣୀ ସୋନଜାଙ୍କୁ ସାକ୍ଷାତ କରିଥିଲେ। ଏହି ସମୟରେ ସେ ରାଜା ହାରାଲ୍ଡଙ୍କୁ ତାରକସି କଳାରେ ନିର୍ମିତ ଏକ ପାଲଟଣା ଜାହାଜର ପ୍ରତିକୃତି ଓ ମହାରାଣୀ ସୋନଜାଙ୍କୁ ପାରମ୍ପାରିକ ପଟ୍ଟଚିତ୍ର ଉପହାର ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ X ରେ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, ଓଡ଼ିଶାର ଦୁଇଟି ପ୍ରମୁଖ କଳା ଏପରି ଗୌରବମୟ କୂଟନୀତିକ ଅବସରର ଅଂଶ ହେବା ଭାରତୀୟ ଐତିହ୍ୟ ପ୍ରତି ବଢୁଥିବା ବିଶ୍ୱସ୍ତରୀୟ ସ୍ୱୀକୃତିର ପ୍ରମାଣ।

ଏହା ଓଡ଼ିଶାର ସେହି କାରିଗରମାନଙ୍କ ପାଇଁ ମଧ୍ୟ ଗର୍ବର ମୁହୂର୍ତ୍ତ, ଯେଉଁମାନଙ୍କ ହାତରେ ପିଢ଼ୀ ପରେ ପିଢ଼ୀ ପରମ୍ପରାଗତ କଳା ଜୀବନ୍ତ ରହିଆସିଛି।ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଓଡ଼ିଶା ମାଟିର ଆତ୍ମାକୁ ବିଶ୍ୱ ମଞ୍ଚରେ ପହଞ୍ଚାଇଥିବାରୁ ଏବଂ ରାଜ୍ୟର ଜୀବନ୍ତ ପରମ୍ପରାକୁ ବିଶ୍ୱ ନେତାଙ୍କ ହାତରେ ଉପସ୍ଥାପନ କରିଥିବାରୁ ଓଡ଼ିଶା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କୃତଜ୍ଞତା ଜଣାଇଛି।

Leave a Reply

Your email address will not be published. Required fields are marked *