Fri. Apr 17th, 2026

ନ୍ୟୁଜ ଡେକ୍ସ : ନାବାଳିକା ଦୁଷ୍କର୍ମ ମାମଲାରେ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଗିରଫ କରିଛି କମିଶନରେଟ ପୁଲିସ। ତାଙ୍କୁ ବାଲେଶ୍ୱରରୁ ଗିରଫ କରାଯାଇଥିବାର ସୂଚନା ରହିଛି । ଶନିବାର ତାଙ୍କୁ ଫେରାର ହେବାରେ ସାହାଯ୍ୟ କରିଥିବା ୫ ସହଯୋଗୀଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଥିଲା।

ଅଭିଯୁକ୍ତମାନେ ବଡ଼ଗଡ଼ ଗୌତମନଗରର ବିବେକ କୁମାର ସ୍ବାଇଁ(୨୯ ବର୍ଷ), ସନ୍ତୋଷୀବିହାର ଅଞ୍ଚଳର ବିକ୍ରମ ମହାନ୍ତି(୪୨ ବର୍ଷ), ଚିନ୍ତାମଣିଶ୍ୱର ଅଞ୍ଚଳର ଦେବେନ୍ଦ୍ର ଭୋଳ(୪୫ ବର୍ଷ) ଓ ସୁମନ କୁମାର ସାହୁ(୨୭ ବର୍ଷ) ଏବଂ ଲକ୍ଷ୍ମୀସାଗର ଶବରସାହିର ରାଜୀବ ଚମ୍ପତ୍ତି(୪୫ ବର୍ଷ)। ତେବେ କହିରଖୁଛୁ, କର୍ପୋରେଟର୍‌ ଅମରେଶ ଜେନା ଓରଫ ବାୟାଁଙ୍କ ବିରୋଧରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବାର ସଙ୍ଗୀନ ଅଭିଯୋଗ ଆସିଛି । ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଓ ଗର୍ଭନଷ୍ଟ କରିବା ସହ ହତ୍ୟା ଧମକ ଦେବା ନେଇ ଲକ୍ଷ୍ମୀସାଗର ଥାନାରେ ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି।

ଏନେଇ ଲକ୍ଷ୍ମୀସାଗର ଥାନା ପୋଲିସ କେସ୍‌ ନଂ-୩୯୪ରେ ବିଏନ୍‌ଏସ୍‌ ଦଫା ୬୪(୨)(ଏମ), ୮୯, ୨୯୬, ୩୫୧(୨) ଓ ପୋକ୍‌ସୋ ଆକ୍ଟ-୨୦୧୨ର ଧାରାର ୬ରେ ମାମଲା ରୁଜୁ କରିଛି। ପୋଲିସ ମାମଲା ରୁଜୁ ପରେ ଯୁବତୀଙ୍କ ଡାକ୍ତରୀ ମାଇନା କରାଇବା ସହ ବିଏନ୍‌ଏସ୍‌ଏସ୍‌ ଦଫା-୧୮୩ରେ ଯୁବତୀଙ୍କ ବୟାନ ରେକର୍ଡ କରିଛି ।

ସେପଟେ ଗିରଫ ହେବା ପରେ ବିଜେଡିରୁ ନିଲମ୍ବିତ ହୋଇଛନ୍ତି ଅମରେଶ ଜେନା । ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଦଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ତାଙ୍କୁ ସସ୍ପେଣ୍ଡ କରାଯାଇଥିବା ନେଇ ସୂଚନା ଜାରି ହୋଇଛି ।

Leave a Reply

Your email address will not be published. Required fields are marked *