ନ୍ୟୁଜ ଡେକ୍ସ : ଲଘୁଚାପଜନିତ ଲଗାଣ ବର୍ଷା ଓ ପ୍ରବଳ ବର୍ଷାର ସତର୍କତାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷାର ସତର୍କ ସୂଚନା ଜାରି ହେବା ପରେ ଜିଲ୍ଲାପାଳମାନେ ସ୍ଥାନୀୟ ପରିସ୍ଥିତିର ସମୀକ୍ଷା କରି ଆବଶ୍ୟକ ନିଷ୍ପତ୍ତି ନେଉଛନ୍ତି।ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ସହ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଛି।
ଜଳବନ୍ଦୀ, ରାସ୍ତାରେ ପାଣି ଜମିବା ଏବଂ ଯାତାୟାତ ବାଧାପ୍ରାପ୍ତ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।ଗତକାଲି ମଧ୍ୟ କଟକ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଛୁଟି ଘୋଷଣା କରାଯାଇଥିଲା। ସେହିପରି ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ଏବଂ ଧନକଉଡ଼ା ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନରେ ମଧ୍ୟ ଛୁଟି ଘୋଷଣା କରାଯାଇଥିଲା। ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହେଉଥିବା ପରିସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି।କଟକ ଜିଲ୍ଲାପାଳଙ୍କ ପକ୍ଷରୁ ରବିବାର ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ଜୁଲାଇ ୬ ତାରିଖରେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ନିର୍ମାଣ କାର୍ଯ୍ୟକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଅତ୍ୟଧିକ ବର୍ଷା ଓ ଅସୁରକ୍ଷିତ ପରିବେଶ ଯୋଗୁଁ ଶ୍ରମିକ ଓ ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି।
ଅନ୍ୟପଟେ, ଲଗାଣ ବର୍ଷା ଯୋଗୁଁ ମହାନଦୀ ଓ ଏହାର ବିଭିନ୍ନ ଶାଖା ନଦୀରେ ଜଳସ୍ତର ଦ୍ରୁତ ଗତିରେ ବଢ଼ୁଥିବାରୁ ସ୍ଥାନୀୟ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିର ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ନଦୀରେ ଗାଧୋଇବା, ପହଁରିବା, ଡଙ୍ଗା ଚଳାଚଳ ବ୍ୟତୀତ ସମସ୍ତ ପ୍ରକାର ମନୋରଞ୍ଜନ ଓ ବ୍ୟବସାୟିକ କାର୍ଯ୍ୟକଳାପକୁ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ନିଷିଦ୍ଧ କରାଯାଇଛି।ପ୍ରଶାସନ ସାଧାରଣ ଲୋକଙ୍କୁ ଅନାବଶ୍ୟକ ଘରୁ ବାହାରକୁ ନଯିବା, ନଦୀ ଓ ଜଳାଶୟ ନିକଟକୁ ନଯିବା ଏବଂ ପାଣିପାଗ ବିଭାଗ ଓ ସ୍ଥାନୀୟ ପ୍ରଶାସନର ସତର୍କ ସୂଚନାକୁ ପାଳନ କରିବାକୁ ପରାମର୍ଶ ଦେଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ, ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ମାନଙ୍କୁ ମଧ୍ୟ ସଜାଗ ରଖାଯାଇଛି।

