ନ୍ୟୁଜ ଡେକ୍ସ : ଜିଲ୍ଲାର ଯୁବ ଫଟୋଗ୍ରାଫର ଶ୍ରୀତମ ସେଠୀ ଆନ୍ତର୍ଜାତୀୟ ମଞ୍ଚରେ ସୁନାମ ଅର୍ଜନ କରିଛନ୍ତି। ପ୍ରସିଦ୍ଧ ଫୋର୍ବସ୍ ପତ୍ରିକାରେ ସେ ସ୍ଥାନ ପାଇଥିବା ବେଳେ ବିଶ୍ୱର ୧୨ ଜଣ ଚୟନିତ ଫଟୋଗ୍ରାଫରଙ୍କ ମଧ୍ୟରେ ତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି।ନିକନ୍ କମେଡି ୱାଇଲ୍ଡଲାଇଫ୍ ପୁରସ୍କାର ପାଇଁ ଶ୍ରୀତମ ନିଜର ଏକ ବିଶେଷ ଫଟୋ ପଠାଇଥିଲେ।
ଯୁକ୍ତରାଜ୍ୟରେ ପ୍ରତିବର୍ଷ ଆୟୋଜିତ ଏହି ପ୍ରତିଯୋଗିତାରେ ବିଶ୍ୱସ୍ତରୀୟ ଫଟୋଗ୍ରାଫରମାନେ ଅଂଶଗ୍ରହଣ କରିଥାନ୍ତି। ପ୍ରକୃତିର ମଝିରେ ଜୀବଜନ୍ତୁଙ୍କ ଆଚରଣ, ମଜାଳିଆ ମୁହୂର୍ତ୍ତ କିମ୍ବା ବିପଦଜନକ ପରିସ୍ଥିତିକୁ ଧରିବା ଏହି ପ୍ରତିଯୋଗିତାର ମୁଖ୍ୟ ଆକର୍ଷଣ ଥାଏ।ଶ୍ରୀତମ ୨୦୨୪ ମସିହାରେ ନିଜ ଘର ପଛପଟରୁ ତୁଳିଥିବା କିଡ୍ନୀ ଗାର୍ଡେନ୍ ସ୍ପାଇଡରର ଏକ ଅନନ୍ୟ ଫଟୋ ପଠାଇଥିଲେ। ଏହି ସ୍ପାଇଡର ଶରୀରରେ ଥିବା ପ୍ରାକୃତିକ ଚିହ୍ନ ମଣିଷର ମୁହଁ ସହିତ ନିଶ ବା ମୁଛ ପରି ଦେଖାଯାଏ, ଯାହା ଫଟୋଟିକୁ ବିଶେଷ କରିଥିଲା। ଏହି ଅନନ୍ୟ ଦୃଶ୍ୟକୁ ଚୟନ କମିଟି ସ୍ୱୀକାର କରିଥିଲା ଏବଂ ଫୋର୍ବସ୍ ପତ୍ରିକାରେ ଏହାକୁ ସ୍ଥାନ ମିଳିଛି।ଫୋର୍ବସ୍ରେ ଫଟୋଟି ସହିତ ଦିଆଯାଇଥିବା କ୍ୟାପସନରେ ମିମିକ୍ରିର ଆକର୍ଷଣୀୟ କଳାକୁ ଉଲ୍ଲେଖ କରାଯାଇଛି ଏବଂ ପ୍ରାକୃତିକ ଜଗତର ଏହି ଅଦ୍ଭୁତ ସୃଷ୍ଟିକୁ ଉଜାଗର କରାଯାଇଛି।ଶ୍ରୀତମଙ୍କ ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଉଛି।
ବାଲେଶ୍ୱର ସହରର ଶୋଭାରମପୁର ଅଞ୍ଚଳର ୨୬ ବର୍ଷୀୟ ଶ୍ରୀତମ ନେଚର ଏବଂ ମାଇକ୍ରୋ ୱାଇଲ୍ଡଲାଇଫ୍ ଫଟୋଗ୍ରାଫର ଭାବେ ପରିଚିତ। ସେ କ୍ଷୁଦ୍ର ପ୍ରଜାତିରୁ ଆରମ୍ଭ କରି ଜଟିଳ ଇକୋସିଷ୍ଟମର ସୌନ୍ଦର୍ଯ୍ୟକୁ କ୍ୟାମେରାରେ ଧରିବାରେ ରୁଚି ରଖନ୍ତି।ଫାର୍ମାସୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଶ୍ରୀତମ ପୂର୍ବରୁ ବିବିସି ୱାଇଲ୍ଡଲାଇଫ୍, ଇଣ୍ଟରନ୍ୟାସନାଲ୍ ଫଟୋଗ୍ରାଫି ପୁରସ୍କାର, ସ୍ମିଥସୋନିଆନ୍ ଇନଷ୍ଟିଚ୍ୟୁସନ୍, ୟୁନେସ୍କୋ ଏବଂ ନ୍ୟାସନାଲ୍ ଜିଓଗ୍ରାଫିକ୍ ଭଳି ସଂସ୍ଥାଗୁଡ଼ିକରୁ ମଧ୍ୟ ଆନ୍ତର୍ଜାତୀୟ ସ୍ୱୀକୃତି ପାଇଛନ୍ତି।

