ନ୍ୟୁଜ ଡେକ୍ସ : ଭୁବନେଶ୍ୱର ନିକଟସ୍ଥ ବାଲିଅନ୍ତାରେ ଆଜି ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ କରିବା ଦିଗରେ ଏକ ଐତିହାସିକ ମାଇଲଷ୍ଟୋନ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ବାଲିଅନ୍ତା, ସତ୍ୟନଗର ଓ ଏସସିବି ମେଡିକାଲରେ ସ୍ଥାପିତ ଅତ୍ୟାଧୁନିକ ଜିଆଇଏସ୍ ଗ୍ରୀଡ୍ ସବଷ୍ଟେସନ ଗୁଡ଼ିକର ଉଦଘାଟନ କରାଯାଇଛି।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ ନବ କିଶୋର ମଲ୍ଲିକ ଓ ଓପିଟିସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଲାସ୍କର ଶର୍ମା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଉଚ୍ଚସ୍ତରୀୟ ଅଧିକାରୀ ଓ ଅନ୍ୟାନ୍ୟ ଅତିଥିମାନେ ମଧ୍ୟ ଯୋଗଦେଇଥିଲେ।ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ରାଜଧାନୀ ଭୁବନେଶ୍ୱରର ଭବିଷ୍ୟତ ବିକାଶକୁ ମନେ ରଖି ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ ଓ ଆଧୁନିକ କରିବା ପାଇଁ ସରକାର ପ୍ରତିବଦ୍ଧ। ଏହି ନୂତନ ଜିଆଇଏସ୍ ଗ୍ରୀଡ୍ ସବଷ୍ଟେସନ ଓ ସଂଲଗ୍ନ ଟ୍ରାନ୍ସମିସନ ଲାଇନ ରାଜଧାନୀରେ ନିରବଚ୍ଛିନ୍ନ, ଉଚ୍ଚ ଗୁଣସ୍ତରୀୟ ଓ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣକୁ ସୁନିଶ୍ଚିତ କରିବ।
ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟରେ ବାଲିଅନ୍ତା, ସତ୍ୟନଗର, ନୟାପଲ୍ଲୀ ଓ ଏସସିବି ମେଡିକାଲରେ ଏହି ଗୁରୁତ୍ୱପୂର୍ଣ୍ଣ ସବଷ୍ଟେସନଗୁଡ଼ିକ ସ୍ଥାପିତ ହୋଇଛି। ଏହା ଭୁବନେଶ୍ୱର ସହରର ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ସହ ରାଜଧାନୀ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ପ୍ରାୟ ୨୨ ଲକ୍ଷ ଉପଭୋକ୍ତାଙ୍କୁ ଲାଭାନ୍ବିତ କରିବ।ଏହା ଫଳରେ ଶିଳ୍ପ, ବ୍ୟବସାୟ ଓ ଆଇଟି କ୍ଷେତ୍ରରେ ଉନ୍ନତିର ଗତି ବଢ଼ିବା ସହ ରାଜ୍ୟର ଆର୍ଥିକ ଉନ୍ନତିକୁ ନୂଆ ଦିଗ ମିଳିବ ବୋଲି ଆଶା କରାଯାଉଛି।
ସେହିପରି ବିଦ୍ୟୁତ୍ ପରିଚାଳନାରେ ଡିଜିଟାଲ ପରିବର୍ତ୍ତନର ଗୁରୁତ୍ୱକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ। STAMS ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୭୦ଟି ଗ୍ରୀଡ୍ ସବଷ୍ଟେସନକୁ ରିମୋଟ୍ ଭାବେ ପରିଚାଳନା କରାଯାଉଛି। ମଞ୍ଚେଶ୍ୱରରେ ନିର୍ମିତ ନୂତନ SLDC ଭବନ ମଧ୍ୟ ରାଜ୍ୟର ବିଦ୍ୟୁତ୍ ପରିଚାଳନାକୁ ଆହୁରି ଶକ୍ତିଶାଳୀ କରିବ।ସମଗ୍ରରେ ଏହି ପଦକ୍ଷେପ ଓଡ଼ିଶାର ବିଦ୍ୟୁତ୍ ବ୍ୟବସ୍ଥାକୁ ଆଧୁନିକ ଓ ସୁଦୃଢ କରିବାରେ ଏକ ମହତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ପରିଗଣିତ ହେଉଛି।

