ନ୍ୟୁଜ ଡେକ୍ସ : ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ସୁରୁଖୁରୁରେ ଚାଲିଛି। ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଶୃଙ୍ଖଳାବଦ୍ଧ ଭାବେ ଅଗ୍ରସର ହେଉଛି। ଏହି ସମୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେଉଛି।ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୃହରେ ଉତ୍ତର ରଖି କହିଛନ୍ତି ଯେ ଛାତ୍ରଛାତ୍ରୀମାନେ କେମିତି ସୁସ୍ଥ ରହିପାରିବେ ସେଥିପାଇଁ ରାଜ୍ୟ ସରକାର ନୂଆ ନିୟମ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି।
ଶିକ୍ଷା ସହିତ ଶାରୀରିକ ସୁସ୍ଥତା ଉପରେ ମଧ୍ୟ ସମାନ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।ସେ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଶାରୀରିକ ଶିକ୍ଷା ଦେବାକୁ ବ୍ୟବସ୍ଥା କରାଯାଉଛି। ଏହା ମାଧ୍ୟମରେ ପିଲାମାନଙ୍କର ଶାରୀରିକ ଓ ମାନସିକ ଉନ୍ନତି ହେବା ସହ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ପାଇବ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ବର୍ତ୍ତମାନ ବିଦ୍ୟାଳୟଗୁଡ଼ିକରେ ଡିଜିଟାଲ୍ କ୍ଲାସରୁମ୍ ବ୍ୟବସ୍ଥା ମାଧ୍ୟମରେ ଇ-କଣ୍ଟେଣ୍ଟ ଦ୍ୱାରା ପାଠ ପଢ଼ାଯାଉଛି। ଏହା ଫଳରେ ପିଲାମାନେ ଆଧୁନିକ ଓ ସହଜ ଉପାୟରେ ଶିକ୍ଷା ଗ୍ରହଣ କରିପାରୁଛନ୍ତି ବୋଲି ସେ ବିଧାନସଭାରେ ସୂଚନା ଦେଇଛନ୍ତି।

