Mon. Apr 20th, 2026

ନ୍ୟୁଜ ଡେକ୍ସ : ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ଗୃହରେ ସାଧାରଣ ଭାବେ ପ୍ରଶ୍ନକାଳ ଜାରି ରହିଥିବାବେଳେ ବିଭିନ୍ନ ବିଭାଗୀୟ ମନ୍ତ୍ରୀମାନେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି। ପ୍ରଶ୍ନକାଳ ସମୟରେ ସବ୍‌-ଟ୍ରେଜରୀ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ଆଇନ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଆଗାମୀଦିନରେ ଆଉ କୌଣସି ନୂଆ ସବ୍‌-ଟ୍ରେଜରୀ ଖୋଲାଯିବ ନାହିଁ।

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖି ଆଇନ ମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସମୟରେ ଟ୍ରେଜରୀ ସମ୍ପର୍କିତ ପ୍ରାୟ ସମସ୍ତ କାର୍ଯ୍ୟ ଅନଲାଇନ ମାଧ୍ୟମରେ ସଂପାଦିତ ହେଉଛି। ପେନସନ ଦେୟ ଦେବାଠାରୁ ଆରମ୍ଭ କରି ଚାଲାଣ ଓ ବିଲ୍ ଦାଖଲ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଅନଲାଇନରେ କରାଯାଉଛି। ଇ-ଭାଉଚର୍ ବ୍ୟବସ୍ଥା ଚାଲୁ ହୋଇଥିବାରୁ ସବ୍‌-ଟ୍ରେଜରୀର ଆବଶ୍ୟକତା ଆଉ ରହିନଥିବାରୁ ନୂଆ ସବ୍‌-ଟ୍ରେଜରୀ ଖୋଲିବା ପ୍ରସ୍ତାବ ନାହିଁ। ସେ ଆହୁରି କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ସମୁଦାୟ ୧୬୯ଟି ଟ୍ରେଜରୀ କାର୍ଯ୍ୟରତ ଅଛି ଏବଂ ସେଗୁଡିକ ମାଧ୍ୟମରେ ସମସ୍ତ ଆର୍ଥିକ କାର୍ଯ୍ୟ ସଂପାଦିତ ହେଉଛି।ସୂଚନା ଅନୁସାରେ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଏପ୍ରିଲ୍‌ ୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ଆର୍ଥିକ ବର୍ଷ ୨୦୨୬–୨୭ ପାଇଁ ମୁଖ୍ୟମନ୍ତ୍ରୀ ଓ ଅର୍ଥ ବିଭାଗର ଦାୟିତ୍ୱରେ ଥିବା ମୋହନ ଚରଣ ମାଝୀ ୩.୧୦ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ।ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବା ସହ ମାର୍ଚ୍ଚ ୩୧ ତାରିଖରେ ରାଜ୍ୟ ସରକାର ବ୍ୟୟମଞ୍ଜୁରୀ ବିଲ୍‌କୁ ଗୃହରେ ପାରିତ କରାଇବାକୁ ଯୋଜନା ରଖିଛନ୍ତି। ଏହି ପର୍ଯ୍ୟାୟରେ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଓ ଆର୍ଥିକ ବ୍ୟୟ ଉପରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *