ନ୍ୟୁଜ ଡେକ୍ସ : ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର କୁଲଦୀପ ଯାଦବ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଚାଇନମ୍ୟାନ୍ ବୋଲି ପରିଚିତ କୁଲଦୀପ ନିଜ ବାଲ୍ୟବନ୍ଧୁ ବଂଶୀକାଙ୍କ ସହ ହାତଗଣ୍ଠି ବାନ୍ଧିଛନ୍ତି। ଉତ୍ତରାଖଣ୍ଡର ସୁନ୍ଦର ହିଲ୍ ଷ୍ଟେସନ୍ ମସୁରୀର ପ୍ରସିଦ୍ଧ ସାଭୋଇ ହୋଟେଲରେ ୧୪ ମାର୍ଚ୍ଚ ତାରିଖରେ ଏହି ବିବାହ ଆୟୋଜିତ ହୋଇଥିଲା।
ଏହି ବିବାହ ଅବସରରେ ଉଭୟ ପରିବାରର ସଦସ୍ୟ, ନିକଟତମ ବନ୍ଧୁବର୍ଗ ଓ କ୍ରିକେଟ ଜଗତ ସହିତ ଜଡିତ ଅନେକ ସେଲିବ୍ରିଟି ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ବିବାହ ଉତ୍ସବରେ ଟିମ୍ ଇଣ୍ଡିଆର ଖେଳାଳିମାନେ ମଧ୍ୟ ଉପସ୍ଥିତ ଥିଲେ।ବିବାହ ଅବସରରେ ୟୁଜଭେନ୍ଦ୍ର ଚହଲ ଓ ତିଲକ ବର୍ମା ନାଚୁଥିବା ଦୃଶ୍ୟ ବିଶେଷ ଆକର୍ଷଣ ହୋଇଥିଲା। ସେହିପରି ବିରାଟ କୋହଲି, ରୋହିତ ଶର୍ମା, ଜସପ୍ରିତ ବୁମରା, ସୂର୍ଯ୍ୟକୁମାର ଯାଦବ, ପୀୟୁଷ ଚାୱଲା, ରିଙ୍କୁ ସିଂହ, ସୁରେଶ ରୈନା ଓ କ୍ରିକେଟ ଦିଗଗଜ ସୁନୀଲ ଗାଭାସ୍କର ମଧ୍ୟ ବିବାହ ଉତ୍ସବରେ ଯୋଗଦେଇଥିବା ସୂଚନା ମିଳିଛି।
ବିବାହ ପୂର୍ବରୁ ମେହେନ୍ଦି, ସଙ୍ଗୀତ ଓ ହଳଦୀ ଭଳି ରୀତିନୀତି ଧୁମଧାମରେ ପାଳନ କରାଯାଇଥିଲା। ବିବାହ ଦିନ କୁଲଦୀପ ଘୋଡା ଚଢ଼ି ବରଯାତ୍ରାରେ ଯାଇଥିବା ଦୃଶ୍ୟ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା।କୁଲଦୀପ ଓ ବଂଶୀକାଙ୍କ ବିବାହ ସମୟର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ୟୁଜରମାନେ ଏହି ଭିଡିଓଗୁଡିକୁ ଲାଇକ୍ ଓ ସେୟାର କରି ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

