Fri. Jun 5th, 2026

ନ୍ୟୁଜ ଡେକ୍ସ : ବିଜୁ ଜନତା ଦଳର ନେତା ତଥା ପୂର୍ବତନ ସାଂସଦ ପିନାକି ମିଶ୍ରଙ୍କ ପତ୍ନୀ ଏବଂ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସହ ବିମାନ ଭିତରେ ଅଭାବନୀୟ ଆଚରଣ ହୋଇଥିବା ଅଭିଯୋଗ ଆସିଛି । ଇଣ୍ଡିଗୋ ବିମାନରେ ଯାତ୍ରା ସମୟରେ କିଛି ସହଯାତ୍ରୀ ତାଙ୍କୁ ହଇରାଣ କରିବା ସହ ବିଭିନ୍ନ ସ୍ଲୋଗାନ ଦେଇ ଅପମାନିତ କରିଥିବା ମହୁଆ ଦାବି କରିଛନ୍ତି ।

ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।ସୂଚନା ଅନୁସାରେ, ବିମାନ ଭିତରେ କିଛି ଯାତ୍ରୀ ମହୁଆ ମୋଇତ୍ରାଙ୍କୁ ଚିହ୍ନିବା ପରେ ତାଙ୍କ ବିନା ଅନୁମତିରେ ମୋବାଇଲରେ ଭିଡିଓ ରେକର୍ଡିଂ କରିବା ଆରମ୍ଭ କରିଥିଲେ । ମହୁଆ ଏହାକୁ ବିରୋଧ କରିଥିଲେ ମଧ୍ୟ ସେମାନେ ଶୁଣିନଥିବା ଅଭିଯୋଗ ହୋଇଛି । ଏହାପରେ ବିମାନ ଭିତରେ ତାଙ୍କ ବିରୋଧରେ ସ୍ଲୋଗାନ ଦିଆଯାଇଥିଲା । କିଛି ସମୟ ପର୍ଯ୍ୟନ୍ତ ଏହି ପରିସ୍ଥିତି ଚାଲିଥିବାରୁ ବିମାନ ଭିତରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥିଲା ।ଘଟଣା ପରେ ମହୁଆ ମୋଇତ୍ରା ଇଣ୍ଡିଗୋ କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୋସିଆଲ ମିଡିଆରେ ସେ କହିଛନ୍ତି ଯେ, ବିମାନ କ୍ରୁ ତାଙ୍କୁ ଉପଯୁକ୍ତ ସୁରକ୍ଷା ଦେଇପାରିଲେ ନାହିଁ ଏବଂ ହଙ୍ଗାମା କରୁଥିବା ଯାତ୍ରୀଙ୍କୁ ରୋକିବାରେ ବିଫଳ ହେଲେ । ଯାତ୍ରୀଙ୍କ ପ୍ରାଇଭେସି ରକ୍ଷା କରିବାରେ ଏୟାରଲାଇନ୍ସ ବିଫଳ ହୋଇଥିବା ଅଭିଯୋଗ ମଧ୍ୟ ସେ କରିଛନ୍ତି ।ଅନ୍ୟପଟେ ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ, ଘଟଣାର ପୂରା ତଦନ୍ତ କରାଯାଉଛି । ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ସେମାନଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା ବୋଲି କମ୍ପାନୀ ସ୍ପଷ୍ଟ କରିଛି । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *