ନ୍ୟୁଜ ଡେକ୍ସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି ଯେ, ଭାରତ ବର୍ତ୍ତମାନ ବିଶ୍ୱର ଚତୁର୍ଥ ବୃହତ୍ତମ ତୈଳ ବିଶୋଧନ କ୍ଷମତା ସମ୍ପନ୍ନ ଦେଶରେ ପରିଣତ ହୋଇଛି। ସେ କହିଛନ୍ତି, ଗତ ୫୦ ବର୍ଷ ମଧ୍ୟରେ ଆମେରିକାରେ କୌଣସି ନୂତନ ରିଫାଇନରୀ ନିର୍ମାଣ ହୋଇନାହିଁ ଏବଂ ୟୁରୋପରେ ମଧ୍ୟ ରିଫାଇନିଂ କ୍ଷମତା କ୍ରମାଗତ ଭାବେ ହ୍ରାସ ପାଉଛି। ଏପରି ସମୟରେ ଭାରତ ନିଜର ରିଫାଇନିଂ କ୍ଷମତାକୁ ଉଲ୍ଲେଖନୀୟ ଭାବେ ବଢ଼ାଇଛି।
ରାଜସ୍ଥାନର ବାଲୋତ୍ରା ଜିଲ୍ଲାର ପଚପଦରାରେ ଦେଶର ପ୍ରଥମ ଗ୍ରୀନଫିଲ୍ଡ ସମନ୍ୱିତ ରିଫାଇନରୀ-କମ୍-ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରି ପ୍ରଧାନମନ୍ତ୍ରୀ ଏହି କଥା କହିଥିଲେ। ଏହି ଅବସରରେ ସେ ପ୍ରାୟ ୧ ଲକ୍ଷ ୫ ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଓ ଲୋକାର୍ପଣ ମଧ୍ୟ କରିଥିଲେ।ପ୍ରଧାନମନ୍ତ୍ରୀ କହିଥିଲେ, ପଶ୍ଚିମ ଏସିଆରେ ଯୁଦ୍ଧ କାରଣରୁ ବିଶ୍ୱରେ ଶକ୍ତି ସଙ୍କଟ ସୃଷ୍ଟି ହୋଇଥିଲେ ମଧ୍ୟ ଭାରତ ସଠିକ୍ ନୀତି, ଇନ୍ଧନ ଯୋଗାଣର ବିବିଧୀକରଣ ଏବଂ ଦୃଢ଼ କୂଟନୈତିକ ସମ୍ପର୍କ ମାଧ୍ୟମରେ ଏହି ଚ୍ୟାଲେଞ୍ଜର ସଫଳ ମୁକାବିଲା କରିଛି।
ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ବହୁତ କମ୍ ପଡ଼ିଥିଲା।ସେ ଅଭିଯୋଗ କରିଥିଲେ ଯେ, ୨୦୧୮ରୁ ୨୦୨୩ ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ସରକାର ସମୟରେ ଏହି ରିଫାଇନରୀ ପ୍ରକଳ୍ପର କାମ ସ୍ଥଗିତ ରହିଥିଲା। ବର୍ତ୍ତମାନ ସରକାର ଏହି ପ୍ରକଳ୍ପକୁ ଆଗକୁ ବଢ଼ାଇ ସଫଳତାର ସହ ସମ୍ପୂର୍ଣ୍ଣ କରିଛନ୍ତି।ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଶକ୍ତି ସଙ୍କଟ ସମୟରେ ସରକାର ଶିଳ୍ପ କ୍ଷେତ୍ରରେ ବ୍ୟବହୃତ ଏଲ୍ପିଜିକୁ ଘରୋଇ ବ୍ୟବହାର ପାଇଁ ଉପଲବ୍ଧ କରାଇବା ସହ ରିଫାଇନରୀଗୁଡ଼ିକୁ ଏଲ୍ପିଜି ଉତ୍ପାଦନ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଫଳରେ ମାତ୍ର ସାତ ଦିନ ମଧ୍ୟରେ ଦୈନିକ ଏଲ୍ପିଜି ଉତ୍ପାଦନ ୩୫ ହଜାର ମେଟ୍ରିକ୍ ଟନରୁ ବୃଦ୍ଧି ପାଇ ୫୪ ହଜାର ମେଟ୍ରିକ୍ ଟନରେ ପହଞ୍ଚିଥିବା ସେ ସୂଚନା ଦେଇଛନ୍ତି।

