ନ୍ୟୁଜ ଡେକ୍ସ : ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଖାଦ୍ୟ ଏବଂ ପାନୀୟ ଶିଳ୍ପ ବିରୋଧରେ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରିଛି। ଗତ ୨୦ ଦିନ ମଧ୍ୟରେ ମୋଟ ୧୪ଟି କମ୍ପାନୀକୁ ନୋଟିସ ଜାରି କରାଯାଇଛି। ସେଥିମଧ୍ୟରୁ ୮ଟି କମ୍ପାନୀ ନିଜ ଖାଦ୍ୟ ସାମଗ୍ରୀର ବିଜ୍ଞାପନରେ ଭ୍ରମାତ୍ମକ ଦାବି କରିଥିବାବେଳେ ୬ଟି ଏନର୍ଜି ଡ୍ରିଙ୍କ ବ୍ରାଣ୍ଡ ଗ୍ରାହକଙ୍କୁ ଭୁଲ ସୂଚନା ଦେଇଥିବା ଅଭିଯୋଗ ହୋଇଛି।
ଖାଦ୍ୟ ସୁରକ୍ଷା ଓ ବିଜ୍ଞାପନରେ ପାରଦର୍ଶିତା ନେଇ FSSAI କୌଣସି ପ୍ରକାର ଖାମଖିଆଲି ବରଦାସ୍ତ କରିବ ନାହିଁ ବୋଲି ଏହି ପଦକ୍ଷେପରୁ ସ୍ପଷ୍ଟ ହୋଇଛି।ଭାରତରେ ଏନର୍ଜି ଡ୍ରିଙ୍କ ବଜାର ଗତ ଏକ ଦଶକ ଧରି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବ୍ୟସ୍ତ ଜୀବନଶୈଳୀ, ଯୁବପିଢ଼ିଙ୍କ ଚାହିଦା ଏବଂ ଆକର୍ଷଣୀୟ ବିପଣନ ରଣନୀତି ଯୋଗୁଁ ଏହି ବଜାରର ବିସ୍ତାର ହୋଇଛି। ବିଶ୍ୱ ସ୍ତରରେ ଏନର୍ଜି ଡ୍ରିଙ୍କ ଶିଳ୍ପର ମୂଲ୍ୟ ପ୍ରାୟ ୮୫ରୁ ୯୨ ବିଲିୟନ ଡଲାର ମଧ୍ୟରେ ଥିବାବେଳେ ୨୦୩୩ ସୁଦ୍ଧା ଏହା ୧୫୮ ବିଲିୟନ ଡଲାରରୁ ଅଧିକରେ ପହଞ୍ଚିବାର ଆକଳନ କରାଯାଇଛି। ଭାରତରେ ଏହି ବଜାରର ଆକାର ପ୍ରାୟ ୦.୭୫ରୁ ୧.୫ ବିଲିୟନ ଡଲାର ମଧ୍ୟରେ ରହିଛି।
FSSAI କହିଛି ଯେ, ଅନେକ ଏନର୍ଜି ଡ୍ରିଙ୍କ କମ୍ପାନୀ ନିଜ ଉତ୍ପାଦ ବିଷୟରେ ‘ଶରୀର ଓ ମସ୍ତିଷ୍କକୁ ସକ୍ରିୟ ରଖେ’, ‘ଏକାଗ୍ରତା ବଢ଼ାଏ’, ‘ଶକ୍ତି ବୃଦ୍ଧି କରେ’ କିମ୍ବା ‘ଦୁର୍ବଳତା ଦୂର କରେ’ ଭଳି ଦାବି କରୁଛନ୍ତି, ଯାହା ଖାଦ୍ୟ ଉତ୍ପାଦ ପାଇଁ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଗ୍ରହଣଯୋଗ୍ୟ ନୁହେଁ। ଏଭଳି ଦାବି ଗ୍ରାହକଙ୍କୁ ଭ୍ରମିତ କରୁଥିବାରୁ ସଂସ୍ଥା ପକ୍ଷରୁ କଡ଼ା ନୋଟିସ ଜାରି କରାଯାଇଛି।ଏହା ପୂର୍ବରୁ ମଧ୍ୟ କେତେକ ଖାଦ୍ୟ ବ୍ରାଣ୍ଡ ବିରୋଧରେ FSSAI ପଦକ୍ଷେପ ନେଇଥିଲା। ‘ଜିରୋ ମଇଦା’, ‘ହେଲ୍ଥି’ ଭଳି ଶବ୍ଦ ବ୍ୟବହାର କରି ଗ୍ରାହକଙ୍କୁ ଭ୍ରମିତ କରିବା, ନିର୍ଦ୍ଧାରିତ ସ୍ୱାସ୍ଥ୍ୟ ମାନଦଣ୍ଡ ପୂରଣ ନ କରିବା ଏବଂ ଉତ୍ପାଦର ବାସ୍ତବ ଗୁଣବତ୍ତା ସହ ବିଜ୍ଞାପନର ଦାବି ମେଳ ନ ଖାଇବା ଭଳି ଅଭିଯୋଗରେ ନୋଟିସ ଜାରି କରାଯାଇଥିଲା।ଖାଦ୍ୟ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ବିଜ୍ଞାପନରେ ସଠିକ୍ ଓ ସତ୍ୟ ସୂଚନା ପ୍ରଦାନ କରିବାକୁ FSSAI ସମସ୍ତ ଖାଦ୍ୟ ଏବଂ ପାନୀୟ କମ୍ପାନୀଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛି।

