ନ୍ୟୁଜ ଡେକ୍ସ : ଚଳିତବର୍ଷ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାକୁ ଆହୁରି ଗରିମାମୟ କରିବା ଉଦ୍ଦେଶ୍ୟରେ ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସସମ୍ମାନେ ନିମନ୍ତ୍ରଣ କରିଛନ୍ତି। ଏନେଇ ସେ ପ୍ରତ୍ୟେକ ପଦ୍ମ ପୁରସ୍କାର ବିଜେତାଙ୍କୁ ସ୍ୱତନ୍ତ୍ର ପତ୍ର ଲେଖି ରଥଯାତ୍ରାରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି।ପତ୍ରରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଦେଶ ଓ ସମାଜ ପ୍ରତି ପଦ୍ମ ପୁରସ୍କାର ବିଜେତାମାନଙ୍କର ଅମୂଲ୍ୟ ଅବଦାନ ପାଇଁ ସମଗ୍ର ଓଡ଼ିଶା ଗର୍ବିତ।
ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ନିଷ୍ଠା, ଦକ୍ଷତା, ପରିଶ୍ରମ ଓ ଆଦର୍ଶ ସେବାକୁ ସ୍ୱୀକୃତି ଦେଇ ଭାରତ ସରକାର ସେମାନଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସେମାନଙ୍କର ଏହି ସଫଳତା ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସେ କହିଛନ୍ତି।ମୁଖ୍ୟମନ୍ତ୍ରୀ ପତ୍ରରେ ଆହୁରି କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା କେବଳ ଓଡ଼ିଶାର ନୁହେଁ, ବରଂ ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ପରମ୍ପରାର ଏକ ଅନନ୍ୟ ପ୍ରତୀକ। ପ୍ରତିବର୍ଷ ଦେଶ ଓ ବିଦେଶରୁ ଲକ୍ଷଲକ୍ଷ ଭକ୍ତ ପୁରୀରେ ଏକତ୍ରିତ ହୋଇ ମହାପ୍ରଭୁଙ୍କ ଦିବ୍ୟ ରଥଯାତ୍ରାର ସାକ୍ଷୀ ହୁଅନ୍ତି ଏବଂ ତାଙ୍କ ଆଶୀର୍ବାଦ ଲାଭ କରନ୍ତି।
ଏହି ପବିତ୍ର ଅବସରରେ ପଦ୍ମ ପୁରସ୍କାର ବିଜେତାମାନଙ୍କ ଉପସ୍ଥିତି ରଥଯାତ୍ରାର ଗରିମାକୁ ଆହୁରି ବଢ଼ାଇବ ବୋଲି ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି। ଆପଣମାନଙ୍କ ଭଳି ପ୍ରତିଭାବାନ ଓ ସମାଜ ପାଇଁ ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱଙ୍କ ଉପସ୍ଥିତି ଆମ ସମସ୍ତଙ୍କ ପାଇଁ ଆନନ୍ଦ ଓ ଗୌରବର ବିଷୟ ହେବ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି।ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ମାଧ୍ୟମରେ ରଥଯାତ୍ରା ଭଳି ବିଶ୍ୱପ୍ରସିଦ୍ଧ ଆଧ୍ୟାତ୍ମିକ ପର୍ବ ସହ ଓଡ଼ିଶାର କୃତୀ ସନ୍ତାନମାନଙ୍କୁ ଯୋଡ଼ିବା ସହ ସେମାନଙ୍କ ଅବଦାନକୁ ସମ୍ମାନ ଜଣାଇବାର ଉଦ୍ୟମ କରାଯାଇଛି। ଏହି ନିମନ୍ତ୍ରଣକୁ ରାଜ୍ୟର ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କ ପ୍ରତି ସରକାରଙ୍କ ସମ୍ମାନ ଓ କୃତଜ୍ଞତାର ପ୍ରତୀକ ବୋଲି ମନେ କରାଯାଉଛି।

