Wed. Jun 24th, 2026

ନ୍ୟୁଜ ଡେକ୍ସ : ବ୍ରିଟେନର ରାଜନୈତିକ ପରିବେଶ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଦେଶର ପ୍ରଧାନମନ୍ତ୍ରୀ କିର ଷ୍ଟାରମର ନିଜ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ଚାଲିଛି। ଦଳ ଭିତରେ ବଢୁଥିବା ଅସନ୍ତୋଷ ଓ ନେତୃତ୍ୱକୁ ନେଇ ଦେଖାଦେଇଥିବା ବିରୋଧ ଯୋଗୁଁ ତାଙ୍କ ଉପରେ ଚାପ ବଢ଼ିଥିବା କୁହାଯାଉଛି। ଏହା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ମନ୍ତବ୍ୟ ଏହି ଚର୍ଚ୍ଚାକୁ ଆହୁରି ଜୋରଦାର କରିଦେଇଛି।ସାମାଜିକ ଗଣମାଧ୍ୟମରେ ଟ୍ରମ୍ପ କରିଥିବା ଏକ ପୋଷ୍ଟରେ କହିଛନ୍ତି ଯେ କିର ଷ୍ଟାରମର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ।

ଅନୁପ୍ରବେଶ ଏବଂ ଶକ୍ତି ନୀତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେ ବିଫଳ ହୋଇଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି। ସେହିପରି ଉତ୍ତର ସାଗରରେ ତେଲ ଉତ୍ତୋଳନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ବ୍ରିଟେନକୁ ପରାମର୍ଶ ଦେଇଛନ୍ତି।ଅନ୍ୟପଟେ, ଶାସକ ଦଳ ଭିତରେ ଗତ କିଛି ମାସ ଧରି ଅସନ୍ତୋଷ ବଢ଼ିଚାଲିଛି। ସମ୍ପ୍ରତି ହୋଇଥିବା ଏକ ଉପନିର୍ବାଚନରେ କିର ଷ୍ଟାରମରଙ୍କ ପ୍ରମୁଖ ସମାଲୋଚକ ଆଣ୍ଡି ବର୍ନହାମ ବିଜୟୀ ହେବା ପରେ ଦଳ ଭିତରେ ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଅଧିକ ତୀବ୍ର ହୋଇଛି। ବର୍ନହାମଙ୍କ ସଂସଦକୁ ପ୍ରତ୍ୟାବର୍ତ୍ତନ ପରେ ଷ୍ଟାରମରଙ୍କ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିବା ପାଇଁ ବିରୋଧୀ ଶିବିର ସକ୍ରିୟ ହୋଇଯାଇଛି।ସୂଚନା ଅନୁଯାୟୀ, ଶାସକ ଦଳର ଶତାଧିକ ସାଂସଦ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିସାରିଛନ୍ତି। ଏହା ଦଳୀୟ ରାଜନୀତିରେ ଏକ ବଡ଼ ସଙ୍କଟର ସଙ୍କେତ ବୋଲି ମନେ କରାଯାଉଛି।ଏହା ସହ ଆମେରିକା ଓ ବ୍ରିଟେନ ମଧ୍ୟରେ କୂଟନୈତିକ ସମ୍ପର୍କକୁ ନେଇ ମଧ୍ୟ ବିଭିନ୍ନ ଚର୍ଚ୍ଚା ହେଉଛି। ମଧ୍ୟପ୍ରାଚ୍ୟ ପ୍ରସଙ୍ଗରେ ଆମେରିକାର କାର୍ଯ୍ୟପଦ୍ଧତିକୁ ସମ୍ପୂର୍ଣ୍ଣ ସମର୍ଥନ ନ ଦେବାରୁ ଉଭୟ ଦେଶ ମଧ୍ୟରେ ମତଭେଦ ବଢ଼ିଥିବା କୁହାଯାଉଛି।

ଏହି ପରିସ୍ଥିତି ମଧ୍ୟ ଷ୍ଟାରମରଙ୍କ ଉପରେ ଚାପ ବଢ଼ାଇଥିବା ଆଲୋଚନା ହେଉଛି।ଯଦି କିର ଷ୍ଟାରମର ପଦତ୍ୟାଗ କରନ୍ତି, ତେବେ ଗତ ଦଶ ବର୍ଷ ମଧ୍ୟରେ ବ୍ରିଟେନ ସପ୍ତମ ପ୍ରଧାନମନ୍ତ୍ରୀଙ୍କୁ ଦେଖିବ। ଏହା ଦେଶର ରାଜନୈତିକ ଅସ୍ଥିରତାକୁ ଆହୁରି ସ୍ପଷ୍ଟ କରିବ।ତେବେ ଏହି ସମସ୍ତ ଚର୍ଚ୍ଚା ଓ ଅଟକଳକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ଆସିନାହିଁ। ସରକାରର କିଛି ସଦସ୍ୟ କହିଛନ୍ତି ଯେ ଷ୍ଟାରମର ବର୍ତ୍ତମାନ ଦେଶର କାର୍ଯ୍ୟ ଓ ଜନସେବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ତଥାପି ତାଙ୍କ ଭବିଷ୍ୟତକୁ ନେଇ ଚାଲିଥିବା ଚର୍ଚ୍ଚା ବ୍ରିଟେନର ରାଜନୀତିକୁ ସରଗରମ କରିରଖିଛି।

Leave a Reply

Your email address will not be published. Required fields are marked *