Sat. Jul 4th, 2026

ନ୍ୟୁଜ ଡେକ୍ସ : ସାରା ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ତୀବ୍ର ହେବାରେ ଲାଗିଛି। ୩ ଜୁଲାଇ ସୁଦ୍ଧା ମୌସୁମୀ ଗୁଜରାଟ, ମଧ୍ୟପ୍ରଦେଶର ଅବଶିଷ୍ଟ ଅଞ୍ଚଳ ଏବଂ ରାଜସ୍ଥାନ ଓ ହରିୟାଣାର କିଛି ଭାଗକୁ ଆହୁରି ଅଗ୍ରସର ହୋଇଛି। ଏହାସହ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଦେଶର ବିଭିନ୍ନ ଅଞ୍ଚଳରେ ବର୍ଷାର ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ଚାରିରୁ ପାଞ୍ଚ ଦିନ ମଧ୍ୟରେ କେନ୍ଦ୍ରୀୟ ଓ ପଶ୍ଚିମ ଭାରତ ସମେତ ଅନେକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାର ପ୍ରଭାବ ଉତ୍ତର ଭାରତରେ ମଧ୍ୟ ଦେଖାଯିବା ସହ ବର୍ଷାର ତୀବ୍ରତା ବଢ଼ିପାରେ।ପାଣିପାଗ ବିଭାଗ ୧୮ଟି ରାଜ୍ୟରେ ହାଲୁକାରୁ ପ୍ରବଳ ବର୍ଷା, ବଜ୍ରପାତ ଏବଂ ଘଣ୍ଟାପ୍ରତି ୪୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ନେଇ ସତର୍କତା ଜାରି କରିଛି। ଆଜିଠାରୁ ୬ ତାରିଖ ପର୍ଯ୍ୟନ୍ତ କୋଙ୍କଣ, ମଧ୍ୟ ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ, ଆଜି ପଶ୍ଚିମ ମଧ୍ୟପ୍ରଦେଶ ଓ ଓଡ଼ିଶାରେ ମଧ୍ୟ ଭାରି ବର୍ଷା ହୋଇପାରେ।

ଏହା ବ୍ୟତୀତ ଆଗାମୀ କିଛି ଦିନ ଧରି ରାଜସ୍ଥାନ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ବିଦର୍ଭ ଏବଂ ଉତ୍ତର-ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା, ଝଡ଼ ଓ ବଜ୍ରପାତର ଆଶଙ୍କା ରହିଛି।ଯେଉଁ ରାଜ୍ୟଗୁଡ଼ିକ ପାଇଁ ବର୍ଷା ସତର୍କତା ଜାରି କରାଯାଇଛି ସେଥିରେ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତର ପ୍ରଦେଶ, ରାଜସ୍ଥାନ, ବିହାର, ଓଡ଼ିଶା, କେରଳ, ନାଗାଲାଣ୍ଡ, ସିକିମ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ର ପ୍ରମୁଖ ରହିଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ଲୋକମାନଙ୍କୁ ସତର୍କ ରହିବା ସହ ଆବଶ୍ୟକ ନ ହେଲେ ପ୍ରତିକୂଳ ପାଗ ସମୟରେ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *