ନ୍ୟୁଜ ଡେକ୍ସ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି ରହିଛି। ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବାବେଳେ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି।ଆଜି ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ସମଗ୍ର ରାଜ୍ୟ ପାଇଁ ସତର୍କତା ଜାରି କରିଛି।
ଭୀଷଣ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ସମ୍ବଲପୁର, ସୋନପୁର, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।ଏହାସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ୮ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବାବେଳେ ପ୍ରବଳ ବର୍ଷା ପାଇଁ ଆଉ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିପାରେ। ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରଣ କରାଯାଇଛି। ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସତର୍କ ରହିବା ଏବଂ ଆବଶ୍ୟକ ନ ହେଲେ ବର୍ଷା ସମୟରେ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

