ନ୍ୟୁଜ ଡେକ୍ସ : ସୁରତରେ କାର୍ଯ୍ୟରତ ଗଞ୍ଜାମ ଜିଲ୍ଲାର ହଜାର ହଜାର ଶ୍ରମିକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ବ୍ରହ୍ମପୁରରୁ ସୁରତ ଅଭିମୁଖେ ସପ୍ତାହକୁ ଦୁଇ ଥର ଚଳାଚଳ କରୁଥିବା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏଣିକି ପ୍ରତିଦିନ ଚଳାଚଳ କରିବ। ଏହା ଫଳରେ ସୁରତରେ କାର୍ଯ୍ୟ କରୁଥିବା ଶ୍ରମିକ ଓ ଅନ୍ୟ ଯାତ୍ରୀମାନେ ବହୁତ ଉପକୃତ ହେବେ।ବ୍ରହ୍ମପୁର ରେଳ ଷ୍ଟେସନର ଚତୁର୍ଥ ପ୍ଲାଟଫର୍ମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁଜ ପତାକା ଦେଖାଇ ଏହି ସେବାର ଶୁଭାରମ୍ଭ କରିଥିଲେ।
ଅପରାହ୍ନ ୪ଟା ୩୦ ମିନିଟରେ ରେଳ ଷ୍ଟେସନ ପରିସରରେ ଆୟୋଜିତ ସ୍ୱତନ୍ତ୍ର ସଭାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଓ ପ୍ରଭାତୀ ପରିଡା ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଧ୍ୟ ଉପସ୍ଥିତ ଥିଲେ। ଏହା ପୂର୍ବରୁ ପୁରୀରେ ଆୟୋଜିତ ରଥଯାତ୍ରା ସମନ୍ୱୟ ବୈଠକରେ ଯୋଗଦାନ କରିବା ପରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ପୁରୀରୁ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚି ଉଦଘାଟନୀ ସମାରୋହରେ ସାମିଲ ହୋଇଥିଲେ।
ବ୍ରହ୍ମପୁର–ସୁରତ ମଧ୍ୟରେ ପ୍ରତିଦିନ ଅମୃତ ଭାରତ ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ ହେବା ଫଳରେ ଦକ୍ଷିଣ ଓଡ଼ିଶାରୁ ଗୁଜରାଟ ଯାତ୍ରା ଅଧିକ ସୁବିଧାଜନକ ହେବା ସହ ଶ୍ରମିକ, ବ୍ୟବସାୟୀ ଓ ସାଧାରଣ ଯାତ୍ରୀମାନେ ବିଶେଷ ଲାଭବାନ ହେବେ।

