Mon. Apr 20th, 2026

ନ୍ୟୁଜ ଡେକ୍ସ : ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ପାଇଁ ମାର୍କ ବଢ଼ାଇବାର ନୂଆ ସୁଯୋଗ ଆସିଛି। ଏବେ ପରୀକ୍ଷାର୍ଥୀମାନେ ଗୋଟିଏ ବିଷୟରେ ମାର୍କ ଉନ୍ନତି ପାଇଁ ଇମ୍ପ୍ରୁଭ୍‌ମେଣ୍ଟ ପରୀକ୍ଷା ଦେଇପାରିବେ। ପରୀକ୍ଷା ଫଳ ପ୍ରକାଶ ପାଇବାର ୬୦ ଦିନ ମଧ୍ୟରେ ଏହି ଉନ୍ନତି ପରୀକ୍ଷା ହେବ ଓ ତାହାର ଫଳାଫଳ ମଧ୍ୟ ଘୋଷଣା କରାଯିବ। ଏହି ବ୍ୟବସ୍ଥାକୁ ଚଳିତ ବର୍ଷରୁ ଲାଗୁ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।

ସିଏଚ୍ଏସ୍ଇର ଅଧିକାରୀଙ୍କ କହିବା ଅନୁସାରେ, ପରିଷଦର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିଶେଷ କରି ମେଡିକାଲ ଭଳି ଜାତୀୟ ପ୍ରବେଶିକା ପରୀକ୍ଷା କିମ୍ବା ନାମଲେଖା ପାଇଁ ଯୁକ୍ତ ଦୁଇରେ ସର୍ବନିମ୍ନ ୭୫ ପ୍ରତିଶତ ମାର୍କ ଆବଶ୍ୟକ ହେଉଥିବାରୁ ଏଥିରୁ କମ୍ ମାର୍କ ପାଇଥିବା ଅନେକ ଛାତ୍ରଛାତ୍ରୀ ଆବେଦନ କିମ୍ବା ନାମଲେଖା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ ସିଏଚ୍ଏସ୍ଇ ପକ୍ଷରୁ ଗୋଟିଏ ବିଷୟରେ ଇମ୍ପ୍ରୁଭ୍‌ମେଣ୍ଟ ପରୀକ୍ଷାର ସୁଯୋଗ ଦିଆଯାଉଛି।

ତେବେ ଏହି ସୁଯୋଗ କେବଳ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ମିଳିବ। ଯେଉଁମାନେ ଫେଲ୍ ହୋଇଥିବେ ସେମାନେ ଏହି ଉନ୍ନତି ପରୀକ୍ଷାରେ ସାମିଲ ହେବେ ନାହିଁ। ସେମାନଙ୍କ ପାଇଁ ପୂର୍ବବତ ଇନ୍‌ଷ୍ଟାଣ୍ଟ ପରୀକ୍ଷାର ବ୍ୟବସ୍ଥା ରହିବ। ଉନ୍ନତି ପରୀକ୍ଷା ହେବାର ୬୦ ଦିନ ମଧ୍ୟରେ ଫଳାଫଳ ପ୍ରକାଶ ପାଇବା ନିଷ୍ପତ୍ତି ମଧ୍ୟ ନିଆଯାଇଛି, ଯାହା ଫଳରେ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା କିମ୍ବା ପ୍ରବେଶିକା ପରୀକ୍ଷାରେ ଆବେଦନ କରିବାରେ ସୁବିଧା ପାଇପାରିବେ।

Leave a Reply

Your email address will not be published. Required fields are marked *