ନ୍ୟୁଜ ଡେକ୍ସ : ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଦିନକୁ ଦିନ ସରଗରମ ହୋଇଉଠିଛି। ଶାସକ ଓ ବିରୋଧୀ ଦଳ ମଧ୍ୟରେ ବୟାନବାଜି ସହ ରାଜନୈତିକ ଛକାପଞ୍ଝା ଚାଲିଥିବା ବେଳେ ବିଶେଷକରି ବିଜେଡି ଭିତରେ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏହା ଫଳରେ ଦଳ ଭିତରେ ଅସ୍ଥିରତା ଓ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବିଗୁଡ଼ୁଥିବାକୁ ଦେଖି ବିଜେଡି ପକ୍ଷରୁ ବିଧାୟକମାନଙ୍କୁ ଭୁବନେଶ୍ୱର ନ ଛାଡ଼ିବା ପାଇଁ ହ୍ୱିପ୍ ଜାରି କରାଯାଇଛି।
ଦଳୀୟ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଦ୍ୱାରା ଜାରି ହୋଇଥିବା ଏହି ହ୍ୱିପ୍ ଅନୁଯାୟୀ ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଜେଡି ବିଧାୟକ ଭୁବନେଶ୍ୱର ଛାଡ଼ି ଯାଇପାରିବେ ନାହିଁ ଏବଂ ଏହାକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ ଆସନ୍ତା ୧୫ ତାରିଖରେ ନବୀନ ନିବାସରେ ସମସ୍ତ ବିଧାୟକଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ବିଜେଡି ଭିତରେ ଏପରି ଅସନ୍ତୋଷ ଦେଖାଦେବାର ପ୍ରମୁଖ କାରଣ ହେଉଛି ଦଳୀୟ ପ୍ରାର୍ଥୀ ଚୟନ। ରାଜ୍ୟସଭା ପାଇଁ ବିଜେଡି ପକ୍ଷରୁ ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ତାଙ୍କ ପାଖରେ ଜିତିବା ପାଇଁ ଆବଶ୍ୟକ ସଂଖ୍ୟା ଥିଲେ ମଧ୍ୟ ଦଳ ଭିତରେ କିଛି ବରିଷ୍ଠ ନେତା ତାଙ୍କ ପ୍ରାର୍ଥିତ୍ୱକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ବିଜେଡିରେ ନୂତନ ଭାବେ ସାମିଲ ହେବାର କିଛି ଦିନ ମଧ୍ୟରେ ତାଙ୍କୁ ଅଧିକ ପ୍ରାଧାନ୍ୟ ମିଳୁଥିବାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିବା କୁହାଯାଉଛି।
ଏହି ପରିସ୍ଥିତିରେ ବିଧାୟକମାନଙ୍କୁ ମନାଇବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜେ କସରତ କରୁଛନ୍ତି। ପ୍ରତିଦିନ ବିଧାୟକମାନଙ୍କୁ ଡାକି ସେମାନଙ୍କ ସହ ଆଲୋଚନା କରୁଥିବା ବେଳେ ନିର୍ମାଲ୍ୟ ଛୁଇଁ ଶପଥ ନେବାକୁ ମଧ୍ୟ କୁହାଯାଉଥିବା ଚର୍ଚ୍ଚା ହେଉଛି। ଦଳୀୟ ପ୍ରାର୍ଥୀ ସଂତୃପ୍ତ ମିଶ୍ର ମଧ୍ୟ ବିଧାୟକମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟି ସମର୍ଥନ ଲୋଡ଼ୁଥିବା ସୂଚନା ମିଳିଛି।ଏପଟେ ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ମଧ୍ୟ ବିଧାୟକମାନଙ୍କୁ ଭେଟି ସମର୍ଥନ ଆହ୍ୱାନ କରୁଛନ୍ତି। ଯଦିଓ ବିଜେଡି ପାଖରେ ଆବଶ୍ୟକ ସଂଖ୍ୟା ରହିଛି, ତଥାପି ଦଳ ଭିତରେ ଅସନ୍ତୋଷ ଦେଖାଦେଇଥିବାରୁ ପ୍ରାର୍ଥୀଙ୍କ ପକ୍ଷରୁ ବିଧାୟକମାନଙ୍କୁ ଭେଟିବା ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଚାଲିଛି। ଅନ୍ୟପଟେ ବିଜେଡି ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ମଧ୍ୟ ଦଳ ପକ୍ଷରୁ ଉଦ୍ୟମ ହେଉଛି।
ସେମାନଙ୍କୁ ଏକ ହୋଟେଲରେ ରଖିବା ପ୍ରସ୍ତାବ ଆସିଥିଲେ ମଧ୍ୟ ସେନେଇ ଏପର୍ଯ୍ୟନ୍ତ କୌଣସି ଶେଷ ନିଷ୍ପତ୍ତି ହୋଇନାହିଁ।ଏହି ସମୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେପି ଉପରେ ଘୋଡ଼ାବେପାରର ଗୁରୁତର ଆରୋପ ଲଗାଇଛନ୍ତି। ସେ କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଲକ୍ଷାଧିକ ଓଡ଼ିଆ ଫସି ରହିଥିବା ବେଳେ ବିଜେପି ସରକାର ସେମାନଙ୍କ ଚିନ୍ତା ନକରି ଏଠାରେ ଘୋଡ଼ାବେପାରରେ ଲାଗିଥିବା ଦୁଃଖଦାୟକ।ଏପଟେ ରବୀନ୍ଦ୍ର ଜେନା ବିଜେପିରେ ଯୋଗ ଦେବା ପରେ ତାଙ୍କ ପତ୍ନୀ ଓ ବିଧାୟିକା ସୁବାସିନୀ ଜେନାଙ୍କ ଭୂମିକାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ସେ ଦଳୀୟ ନିଷ୍ପତ୍ତି ମାନିବେ କି ନାହିଁ ତାହା ନେଇ ରାଜନୈତିକ ମହଳରେ ଅନେକ ଅନୁମାନ କରାଯାଉଛି।ଅନ୍ୟପଟେ କଂଗ୍ରେସ ମଧ୍ୟ ନିଜ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ପ୍ରୟାସ ଜାରି ରଖିଛି। ପିସିସି ସଭାପତି ଭକ୍ତ ଦାସ ବିଧାୟକମାନଙ୍କ ସହ ବୈଠକ ଓ ଆଲୋଚନା କରୁଥିବା ବେଳେ ସମସ୍ତେ ଦଳୀୟ ନିଷ୍ପତ୍ତିକୁ ମାନିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି।
ଏପଟେ ବିଜେପି ନିଜ ପ୍ରାର୍ଥୀଙ୍କ ବିଜୟ ନେଇ ବେଶ୍ ଆତ୍ମବିଶ୍ୱାସୀ ରହିଛି। ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ପାଇଁ ଦଳ ଗୁପ୍ତ ରଣନୀତି ଆପଣାଇଥିବା କୁହାଯାଉଛି। ନିର୍ବାଚନ ପୂର୍ବଦିନ ସମସ୍ତ ବିଧାୟକଙ୍କୁ ଏକ ହୋଟେଲରେ ରଖି ଶେଷ ରଣନୀତି ନିର୍ଦ୍ଧାରଣ କରାଯିବ ବୋଲି ସୂଚନା ମିଳିଛି। ଏହାକୁ ନେଇ ରାଜ୍ୟ ରାଜନୀତିର ମହଳରେ ଚର୍ଚ୍ଚା ଆହୁରି ତୀବ୍ର ହୋଇଉଠିଛି।

