ନ୍ୟୁଜ ଡେକ୍ସ : ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶା କଂଗ୍ରେସକୁ କ୍ରସ୍ ଭୋଟିଂର ଭୟ ଘାରିଛି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସର କିଛି ବିଧାୟକଙ୍କୁ ରାଜ୍ୟ ବାହାରକୁ ନେଇଯାଇଥିବା ସୂଚନା ମିଳିଛି। ହୁଇପ୍ ଜାରି ହେବା ପରେ ପ୍ରାୟ ୮ରୁ ୯ ଜଣ କଂଗ୍ରେସ ବିଧାୟକ ବେଙ୍ଗାଲୁରୁ ଯାଇଥିବା ଜଣାପଡ଼ିଛି।ସୂଚନା ଅନୁସାରେ ପିସିସି ସଭାପତି ଭକ୍ତ ଦାସ ସମସ୍ତ ବିଧାୟକଙ୍କୁ ବେଙ୍ଗାଲୁରୁ ନେଇଥିବା କୁହାଯାଉଛି।
ବେଙ୍ଗାଲୁରୁ ଯାଇଥିବା ବିଧାୟକମାନଙ୍କ ମଧ୍ୟରେ ସାଉଁନ୍ତା, ରାଜନ ଏକ୍କା, ପ୍ରଫୁଲ୍ଲ ପ୍ରଧାନ, ଆପୋଲ ସ୍ବାମୀ ଓ ମଙ୍ଗୁ ଖିଲ ଅଛନ୍ତି ବୋଲି ସୂଚନା ମିଳିଛି। ସେମାନେ ଆସନ୍ତା ୧୫ ତାରିଖରେ ଓଡ଼ିଶାକୁ ଫେରିବେ ବୋଲି କୁହାଯାଉଛି।ଅନ୍ୟପଟେ ପିସିସି ସଭାପତି ଭକ୍ତ ଦାସ ବିଧାୟକମାନଙ୍କ ସହ ଦିଲ୍ଲୀ ଯାଇଥିବା ବେଳେ ସେଠାରୁ ବେଙ୍ଗାଲୁରୁ ଯିବେ ବୋଲି ସୂଚନା ମିଳିଛି। ତେବେ କଂଗ୍ରେସର ଅନ୍ୟ ଦୁଇ ବିଧାୟକ ରାମଚନ୍ଦ୍ର କାଡାମ ଓ ରମେଶ ଜେନା ରାଜ୍ୟ ବାହାରକୁ ଯାଇନଥିବା କୁହାଯାଇଛି।
ରାଜ୍ୟସଭା ନିର୍ବାଚନ ପୂର୍ବରୁ ଘୋଡା ବେପାର ଆଶଙ୍କା ଥିବାରୁ ରାଜନୈତିକ ଚଞ୍ଚଳତା ବଢ଼ିଛି। ସେପଟେ ବିଜେଡି ପକ୍ଷରୁ ମଧ୍ୟ ପୂର୍ବରୁ ବିଧାୟକମାନଙ୍କ ପାଇଁ ହୁଇପ୍ ଜାରି କରାଯାଇଥିଲା। ସମସ୍ତ ବିଧାୟକଙ୍କୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଛାଡ଼ି ନଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

