ନ୍ୟୁଜ ଡେକ୍ସ : ରାଜ୍ୟସଭା ନିର୍ବାଚନ ତାରିଖ ଯେତେ ନିକଟକୁ ଆସୁଛି ସେତେ ରାଜ୍ୟର ରାଜନୈତିକ ପରିସ୍ଥିତି ତଣାପୋଡ଼ ଭରା ହେଉଛି। ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀତ୍ୱକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ଶିବିରରେ ଚିନ୍ତା ବଢ଼ିଥିବା ଦେଖାଯାଉଛି। ଘୋଡ଼ା ବେପାର ଭୟରେ ଦୁଇ ଦଳର ନେତାମାନେ ବିଧାୟକମାନଙ୍କ ସହ ଲଗାତାର ସମ୍ପର୍କ ରଖୁଛନ୍ତି ଏବଂ ସତର୍କ ରହିବାକୁ ତାଗିଦ କରୁଛନ୍ତି।ଏହାରି ମଧ୍ୟରେ କଂଗ୍ରେସର ୯ ଜଣ ବିଧାୟକ ପିସିସି ସଭାପତିଙ୍କ ସହ ରାଜ୍ୟ ବାହାରକୁ ଯାଇଥିବା ଖବର ସାମ୍ନାକୁ ଆସିଛି।
ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏହାକୁ ସ୍ୱୀକାର କରିଛନ୍ତି। ସେମାନେ ବେଙ୍ଗାଲୁରୁ ଯାଇ ଏକ ଘରୋଇ ରିସର୍ଟରେ ରହୁଥିବା ଜଣାପଡ଼ିଛି।ରାଜ୍ୟ ବାହାରକୁ ଯାଇଥିବା ବିଧାୟକମାନଙ୍କ ମଧ୍ୟରେ ଅଶୋକ କୁମାର ଦାସ, ପବିତ୍ର ସାଉଁନ୍ତା, ଡାକ୍ତର ସିଏସ୍ ରାଜନ ଏକ୍କା, ପ୍ରଫୁଲ୍ଲ ପ୍ରଧାନ, କାଡ୍ରାକା ଆପଲା ସ୍ୱାମୀ, ନୀଳ ମାଧବ ହିକ୍କକା, ସତ୍ୟଜିତ ଗମାଙ୍ଗୋ ଓ ମଙ୍ଗୁ ଖିଲ ଅଛନ୍ତି। ରାଜ୍ୟସଭା ନିର୍ବାଚନ ମାର୍ଚ୍ଚ ୧୬ରେ ହେବାକୁ ଥିବା ବେଳେ ପିସିସି ସଭାପତି ଭକ୍ତ ଦାସ ୧୫ ତାରିଖରେ ବିଧାୟକମାନଙ୍କୁ ନେଇ ଓଡ଼ିଶାକୁ ଫେରିବେ ବୋଲି ଜଣାପଡ଼ିଛି। ଏପଟେ କଂଗ୍ରେସର କିଛି ବିଧାୟକ ବେଙ୍ଗାଲୁରୁ ଯାଇନଥିବା ମଧ୍ୟ ଜଣାପଡ଼ିଛି। ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ରମେଶ ଜେନା, ତାରାପ୍ରସାଦ ବାହିନୀପତି, ସୋଫିଆ ଫିର୍ଦ୍ଦୋସ, ସାଗର ଚରଣ ଦାସ ଓ ଦାଶରଥି ଗମାଙ୍ଗ ବେଙ୍ଗାଲୁରୁ ଯାଇନଥିବା ସୂଚନା ମିଳିଛି।କାଡ଼ାମ କହିଛନ୍ତି ଯେ ତାଙ୍କ ଦଳର ବିଧାୟକମାନଙ୍କୁ ବିଜେପି ପକ୍ଷରୁ ପ୍ରଲୋଭନ ଦିଆଯାଉଛି। ତେଣୁ ସୁରକ୍ଷିତ ରହିବା ପାଇଁ କିଛି ବିଧାୟକଙ୍କୁ ରାଜ୍ୟ ବାହାରକୁ ନେଇଯାଇଛି।
ଯେଉଁମାନଙ୍କ ମଧ୍ୟରେ କ୍ରସ୍ ଭୋଟିଂର ସମ୍ଭାବନା ରହିଛି ସେମାନେ ବେଙ୍ଗାଲୁରୁ ଯାଇଛନ୍ତି ବୋଲି ସେ କହିଛନ୍ତି। ଯେଉଁ ୫ ଜଣ ବିଧାୟକ ଭୁବନେଶ୍ୱରରେ ରହିଛନ୍ତି ସେମାନେ କ୍ରସ୍ ଭୋଟିଂ କରିବେ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।ଅନ୍ୟପଟେ ବିଧାୟିକା ସୋଫିଆ ଫିର୍ଦ୍ଦୋସ ବେଙ୍ଗାଲୁରୁ ଗସ୍ତକୁ ନାପସନ୍ଦ କରିଛନ୍ତି। ସେ କହିଛନ୍ତି ଯେ ଏହି ଗସ୍ତ ସମ୍ପର୍କରେ ତାଙ୍କୁ କୌଣସି ସୂଚନା ମିଳିନଥିଲା ଏବଂ ସେ ଗଣମାଧ୍ୟମରୁ ଏହି ବିଷୟରେ ଜାଣିଛନ୍ତି। ସେ କହିଛନ୍ତି ଯେ ସେ ବେଙ୍ଗାଲୁରୁ ଯିବାର କୌଣସି ଆବଶ୍ୟକତା ଦେଖୁନାହାନ୍ତି ଏବଂ କଟକ ଭଳି ଏକ ଶିକ୍ଷିତ ସହରରୁ ଆସିଥିବାରୁ ସେ ସଠିକ୍ ନିଷ୍ପତ୍ତି ନେବେ। ସେହିପରି ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ ବିଧାୟକମାନେ କେବଳ ବୁଲିବା ପାଇଁ ବେଙ୍ଗାଲୁରୁ ଯାଇଛନ୍ତି। ବହୁ ଦିନ ହେଲା ସେମାନେ କେଉଁଠି ବୁଲିବାକୁ ଯାଇନଥିଲେ, ସେଥିପାଇଁ ଏହି ଗସ୍ତ କରିଛନ୍ତି ବୋଲି ସେ କହିଛନ୍ତି। କୌଣସି କ୍ରସ୍ ଭୋଟିଂର ଭୟ ନଥିବା ମଧ୍ୟ ସେ ସଫାଇ ଦେଇଛନ୍ତି।

