ନ୍ୟୁଜ ଡେକ୍ସ : ରାଜ୍ୟସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ଗରମ ହୋଇଯାଇଛି । ବିଧାନସଭାରେ ମକ ପୋଲିଂ ଶେଷ ହେବା ପରେ ଗଣମାଧ୍ୟମ ସମ୍ମୁଖରେ ବିସ୍ଫୋରକ ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ସଭାପତି ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏପରି ଘଟଣା ଏକ ପ୍ରକାର ଅପରାଧ ବୋଲି ସେ ଅଭିଯୋଗ କରିଛନ୍ତି ।
ସେହିସହ ଦଳର ସମସ୍ତ ବିଧାୟକ ଏକଜୁଟ ଓ ସତର୍କ ଅଛନ୍ତି ବୋଲି ମଧ୍ୟ ନବୀନ କହିଛନ୍ତି ।ଅନ୍ୟପଟେ ବିଜେଡି ବିଧାୟକ ବ୍ୟୋମକେଶ ରାୟ ମଧ୍ୟ ଶାସକ ଦଳ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ଶାସକ ଦଳ ପାଖରେ ରାଜ୍ୟସଭା ନିର୍ବାଚନ ଜିତିବାକୁ ପ୍ରୟାପ୍ତ ସଂଖ୍ୟା ନାହିଁ । ଏହି କାରଣରୁ ମୁଖ୍ୟମନ୍ତ୍ରୀ ନିଜେ ବିଧାୟକମାନଙ୍କୁ ଫୋନ କରୁଥିବା ଅଭିଯୋଗ ସେ କରିଛନ୍ତି । ବ୍ୟୋମକେଶ କହିଛନ୍ତି ଯେ ନିର୍ବାଚନ ମଣ୍ଡଳୀର ଲୋକେ ସ୍ପଷ୍ଟ କରିଦେଇଛନ୍ତି, ଯିଏ ଘୋଡା ବେପାର କରିବେ ତାଙ୍କୁ ନିର୍ବାଚନ ମଣ୍ଡଳୀ କେବେ ମାଫ କରିବ ନାହିଁ । ଏହା ସହ ଦଳ ମଧ୍ୟ ଏପରି କାର୍ଯ୍ୟରେ ଲିପ୍ତ ଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବ ବୋଲି ସେ ସଚେତନ କରିଛନ୍ତି ।
ଆଜି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ବିଧାନସଭାରେ ବିଧାନସଭା ସଚିବଙ୍କ ନେତୃତ୍ୱରେ ସମସ୍ତ ଦଳର ବିଧାୟକମାନଙ୍କୁ ମକ ଡ୍ରିଲ କରାଯାଇଛି । ଏଥିରେ ବିଧାୟକମାନଙ୍କୁ ମତଦାନ କେନ୍ଦ୍ରକୁ କିପରି ଯିବେ, କେଉଁଠି ବସିବେ, ବାଲାଟ ପେପର କେଉଁଠୁ ନେବେ ଏବଂ କିପରି ଭୋଟ ଦେବେ ସେସବୁ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହା ସହ ପେନ ବ୍ୟବହାର କରି ଭୋଟ ଦେବା ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ବିସ୍ତୃତ ଅଭ୍ୟାସ କରାଯାଇଥିଲା ।ବିଧାୟକମାନେ କହିଛନ୍ତି ଯେ ଦଳର ନିଷ୍ପତ୍ତି ଅନୁସାରେ ସେମାନେ ଭୋଟ ଦେବେ । ଏହା ସହ ଆଜି ସନ୍ଧ୍ୟାରେ ମଧ୍ୟ ନବୀନ ନିବାସରେ ବିଜେଡି ବିଧାୟକମାନଙ୍କ ପାଇଁ ଆଉ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସୂଚନା ମିଳିଛି ।

