ନ୍ୟୁଜ ଡେକ୍ସ : ରାଜ୍ୟରେ ଏବେ ତାତିରୁ ମିଳିବନି ତ୍ରାହି। ଆଗାମୀ କିଛି ଦିନ ମଧ୍ୟରେ ମୁଣ୍ଡଫଟା ଗରମ ଅନୁଭୂତ ହେବାକୁ ଯାଉଛି। ସେପଟେ ଧୀରେ ଧୀରେ କାଳବୈଶାଖୀର ପ୍ରଭାବ କମିବାର ସଙ୍କେତ ମିଳୁଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହାକୁ ନେଇ ସତର୍କତା ଜାରି କରାଯାଇଛି।ପାଣିପାଗ ବିଭାଗ ଅନୁସାରେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ କିଛି ଅଞ୍ଚଳରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। କାଳବୈଶାଖୀ ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ଏହି ଜିଲ୍ଲାଗୁଡ଼ିକ ହେଲେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି। ଏହି ସମୟରେ ବଜ୍ରପାତ ସହ କୁଆପଥର ବର୍ଷା ଓ ୩୦ ରୁ ୫୦ କିଲୋମିଟର ବେଗରେ ବାତାସ ବହିବାର ସମ୍ଭାବନା ରହିଛି।ତଥାପି ଏହି କାଳବୈଶାଖୀର ପ୍ରଭାବ ଦୀର୍ଘ ସମୟ ରହିବ ନାହିଁ। ଶନିବାରଠାରୁ ରାଜ୍ୟରେ ଗରମର ପ୍ରଭାବ ବଢ଼ିବା ସହ ଲୋକମାନେ ଅସହ୍ୟ ତାତିର ସମ୍ମୁଖୀନ ହେବେ। ସେହି ସମାନ ୧୧ଟି ଜିଲ୍ଲା ପାଇଁ ଗରମ ଓ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ଅନୁଭୂତି ନେଇ ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି ଯେ, ୧୧ ଏପ୍ରିଲରୁ ତାପମାତ୍ରା ହଠାତ୍ ବୃଦ୍ଧି ପାଇବ। ଦିନର ତାପମାତ୍ରା ୪ ରୁ ୬ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢ଼ିପାରେ।
ବିଶେଷକରି ଉପକୂଳ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଛୁଇଁବାର ସମ୍ଭାବନା ରହିଛି। ଏହି ଗରମ ପରିସ୍ଥିତି ୧୫ ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିବ ବୋଲି ଅନୁମାନ କରାଯାଇଛି।ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୩୮.୯ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିବାବେଳେ ରାଜ୍ୟର ୧୪ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ଉର୍ଦ୍ଧ୍ୱରେ ରହିଛି। ଏହାରୁ ଗରମ ଧୀରେ ଧୀରେ ବଢ଼ୁଥିବା ସ୍ପଷ୍ଟ ହେଉଛି।ବର୍ତ୍ତମାନର ପାଗ ପରିସ୍ଥିତି ଉପର ବାୟୁ ଟ୍ରଫ୍ ଏବଂ ସମୁଦ୍ର ପତ୍ତନଠାରୁ ୦.୯ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିବା ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରୁ ସୃଷ୍ଟି ହୋଇଛି। ଏହି ପରିସ୍ଥିତି ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଅବ୍ୟାହତ ରହିବାର ସମ୍ଭାବନା ରହିଛି।ସମଗ୍ର ରାଜ୍ୟରେ ଗରମ ବଢ଼ିବା ସହିତ ଲୋକମାନଙ୍କୁ ସତର୍କ ରହିବା ଏବଂ ଅତ୍ୟାବଶ୍ୟକ ନହେଲେ ଦିନେ ବାହାରକୁ ନଯିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

