Sun. Apr 19th, 2026

ନ୍ୟୁଜ ଡେକ୍ସ : ଜୀବନକୁ ପରିବର୍ତ୍ତନ କରିବା ସହ ଏକ ନ୍ୟାୟପୂର୍ଣ୍ଣ ଓ ଅନ୍ତର୍ଭୂକ୍ତ ସମାଜ ଗଠନ ପାଇଁ ଶିକ୍ଷା ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ବୋଲି ଜାତୀୟ ମାନବାଧିକାର ଆୟୋଗର ମହାସଚିବ ଭରତ ଲାଲ କହିଛନ୍ତି। ଶନିବାର କିଟ୍ ଓ କିସ୍ ଗସ୍ତ ଅବସରରେ ସେ ଏହି ମତ ପ୍ରକାଶ କରିଥିଲେ।କିସ୍ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଭରତ ଲାଲ କହିଥିଲେ ଯେ ଜୀବନ ଓ କ୍ୟାରିୟର ଗଠନରେ ଶିକ୍ଷା ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରେ। ସେ କହିଥିଲେ ଯେ କେବଳ ଶିକ୍ଷାର ଶକ୍ତି ଦ୍ୱାରା ସେ ଆଜି ଏହି ସ୍ଥାନକୁ ପହଞ୍ଚିପାରିଛନ୍ତି।

ଶିକ୍ଷା ବିନା ଜୀବନରେ ବଡ଼ କିଛି ହାସଲ କରିବା କଷ୍ଟସାଧ୍ୟ ବୋଲି ସେ ଉଲ୍ଲେଖ କରିଥିଲେ।କିଟ୍ ଓ କିସ୍ ପରିଦର୍ଶନ ସମୟରେ ସେ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏଠାରେ ଶୃଙ୍ଖଳା, ଆଚରଣ, ସଂସ୍କୃତି ଓ ସକାରାତ୍ମକ ଚିନ୍ତାଧାରାକୁ ଶିକ୍ଷା ଦ୍ୱାରା ଗଢ଼ି ତୋଳାଯାଉଛି। ଶିକ୍ଷା ଗ୍ରହଣ ପାଇଁ ଉପଯୁକ୍ତ ସମୟରେ ଶିକ୍ଷା ଗ୍ରହଣ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଲାଭରେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ। କିସ୍‌ରେ ସେ ଛାତ୍ରଛାତ୍ରୀଙ୍କୁ ଚରିତ୍ର ଗଠନ ଓ ସମାଜସେବାରେ ଅଗ୍ରସର ହେବାକୁ ପ୍ରେରଣା ଦେଇଥିଲେ। ସେ କହିଥିଲେ ଯେ ମାନବାଧିକାରର ମୂଳ ଲକ୍ଷ୍ୟ ହେଉଛି ସାମାଜିକ କୁସଂସ୍କାର ଦୂର କରିବା ସହ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନ ଓ ସମାନତା ଦେବା।ପରେ କିଟ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ କିଟ୍ ନଲେଜ ଟ୍ରି ବକ୍ତୃତାମାଳା କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଥିଲେ ଯେ ଶିକ୍ଷା ବ୍ୟକ୍ତିର ସଂସ୍କୃତି, ଆଚରଣ ଓ ଚିନ୍ତାଧାରାକୁ ନୂତନ ଦିଗ ଦେଇଥାଏ।

ସହାନୁଭୂତି ଓ କରୁଣା ମାନବାଧିକାରର ମୂଳ ଭିତ୍ତି ଓ ମାନବାଧିକାରର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ କହିଥିଲେ।ଯୁବ ପିଢ଼ୀକୁ ମାନବାଧିକାରର ରକ୍ଷକ ହେବା ସହ ସମାଜରେ ସମାନତା ଓ ସମ୍ମାନର ମୂଲ୍ୟବୋଧକୁ ସୁନିଶ୍ଚିତ କରିବାକୁ ସେ ଆହ୍ୱାନ ଦେଇଥିଲେ।ବର୍ତ୍ତମାନ ସମୟର ବିଭିନ୍ନ ଚ୍ୟାଲେଞ୍ଜ ଉପରେ ଆଲୋକପାତ କରି ସେ କହିଥିଲେ ଯେ ମାନବାଧିକାର ଓ ଶ୍ରମିକ କଲ୍ୟାଣ ସହ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ଗଭୀର ଭାବରେ ସମ୍ପୃକ୍ତ। ଆର୍ଥିକ ଉନ୍ନତି ସହିତ ଶ୍ରମିକ କଲ୍ୟାଣକୁ ପ୍ରୋତ୍ସାହନ ଦେବା ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଥିଲେ। ଭାରତରେ ମାନବାଧିକାର ସୁରକ୍ଷା ପାଇଁ ସମ୍ବିଧାନିକ ବ୍ୟବସ୍ଥା ବିଷୟରେ ସେ କହିଥିଲେ ଯେ ଭାରତୀୟ ସମ୍ବିଧାନର ଧାରା ୩୨ ନାଗରିକଙ୍କୁ ନ୍ୟାୟ ପାଇବାର ଅଧିକାର ଦେଇଥାଏ। ଅଧିକାର ଉଲ୍ଲଂଘନ ହେଲେ ଯେକୌଣସି ବ୍ୟକ୍ତି ମାନବାଧିକାର ଆୟୋଗର ଶରଣାପଣ୍ଣ ହୋଇପାରିବେ।

ସେ ସୂଚନା ଦେଇଥିଲେ ଯେ ୨୦୨୩-୨୪ ମସିହାରେ ଏନଏଚଆରସି ତିନି ଶହରୁ ଅଧିକ ଅଭିଯୋଗ ଗ୍ରହଣ କରିଛି। ମାନବାଧିକାର ସୁରକ୍ଷା ପାଇଁ ଭଲ ଶାସନ, ସ୍ୱଚ୍ଛତା ଓ ଉତ୍ତମ ଜନସେବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଥିଲେ। ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ନ୍ୟାୟ ବ୍ୟବସ୍ଥାକୁ ଦୁର୍ବଳ କରେ ବୋଲି ସେ ଉଲ୍ଲେଖ କରିଥିଲେ।ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ପ୍ରଫେସର ରାଜୁ କେ ଡି, ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *