ନ୍ୟୁଜ ଡେକ୍ସ : ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସଦେଇପାଲିରେ ଥିବା ବିଦ୍ୟୁତ ଗ୍ରିଡରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ପରେ ବଲାଙ୍ଗୀର, କଳାହାଣ୍ଡି ଓ ସୋନପୁର ଜିଲ୍ଲାର କିଛି ଅଞ୍ଚଳରେ ସାମୟିକ ଭାବେ ବିଦ୍ୟୁତ ସେବା ବିଘ୍ନିତ ହୋଇଥିଲା।ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବଲାଙ୍ଗୀର ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାମ ଆରମ୍ଭ କରିଥିଲେ।
ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ନିୟନ୍ତ୍ରଣକୁ ଆଣାଯାଇଥିଲା।ପ୍ରାଥମିକ ସୂଚନା ଅନୁଯାୟୀ, ଗ୍ରିଡ ଭିତରେ ଥିବା କିଛି ଯନ୍ତ୍ରାଂଶରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡ ଅନ୍ୟ ସ୍ଥାନକୁ ନ ବ୍ୟାପିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ସତର୍କତାର ସହ କାର୍ଯ୍ୟ କରିଥିଲେ।ଏହି ଘଟଣାରେ କାହାରି ଆହତ ହେବାର ସୂଚନା ମିଳିନାହିଁ।
ନିଆଁ ନିୟନ୍ତ୍ରଣକୁ ଆସିବା ପରେ ବିଦ୍ୟୁତ ସେବା ପୁନଃସ୍ଥାପନ ପାଇଁ କାମ ଆରମ୍ଭ କରାଯାଇଥିଲା। ଗ୍ରୀଷ୍ମପ୍ରବାହ ମଧ୍ୟରେ ବିଦ୍ୟୁତ ଚାହିଦା ବଢ଼ୁଥିବା ସମୟରେ ଏଭଳି ଘଟଣା ଲୋକଙ୍କ ଚିନ୍ତା ବଢ଼ାଇଛି। ତେବେ ଏତେ ସମ୍ବେଦନଶୀଳ ସ୍ଥାନରେ କିପରି ଅଗ୍ନିକାଣ୍ଡ ଘଟିଲା, ସେନେଇ ତଦନ୍ତ ଜାରି ରହିଛି।

