Mon. Apr 20th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଅନେକ ସରକାରୀ କର୍ମଚାରୀ ଏପର୍ଯ୍ୟନ୍ତ ନିଜ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି। ସରକାରୀ ବାବୁମାନେ ନିଜ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଦେବାକୁ କୁନ୍ତୁ କୁନ୍ତୁ କରୁଥିବା ନେଇ ଚର୍ଚ୍ଚା ବଢ଼ିଛି। ଏଚଆରଏମଏସ ପୋର୍ଟାଲରେ ମାର୍ଚ୍ଚ ୨ ତାରିଖ ସୁଦ୍ଧା ୧ ଲକ୍ଷ ୨୫ ହଜାର ୮୪୭ ଜଣ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରିନଥିବା ସୂଚନା ଆସିଛି।

ଏହି ତଥ୍ୟକୁ ବିଧାନସଭାରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥାପନ କରିଛନ୍ତି।ରାଜ୍ୟ ସରକାର ପକ୍ଷରୁ ସମସ୍ତ ସରକାରୀ କର୍ମଚାରୀଙ୍କୁ ନିଜ ସମ୍ପତ୍ତି ତାଲିକା ଦାଖଲ କରିବା ପାଇଁ ଜାନୁଆରୀ ୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ଏହା ସତ୍ତ୍ୱେ ଅନେକ କର୍ମଚାରୀ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମ୍ପତ୍ତି ତାଲିକା ଦାଖଲ କରିନଥିଲେ। ଏହି ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ୨୦୨୫ ବର୍ଷ ପାଇଁ ସମ୍ପତ୍ତି ତାଲିକା ଦାଖଲ କରିବାର ସମୟସୀମାକୁ କୋହଳ କରି ମାର୍ଚ୍ଚ ୩୧, ୨୦୨୬ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ତଥାପି ମାର୍ଚ୍ଚ ୨ ତାରିଖ ସୁଦ୍ଧା ୧,୨୫,୮୪୭ ଜଣ ସରକାରୀ କର୍ମଚାରୀ ଏପର୍ଯ୍ୟନ୍ତ ନିଜ ସମ୍ପତ୍ତି ତାଲିକା ଦାଖଲ କରିନଥିବା ତଥ୍ୟ ସାମ୍ନାକୁ ଆସିଛି। ଏହି ଘଟଣା ପରେ ବିଭିନ୍ନ ମହଲରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସରକାରୀ କର୍ମଚାରୀମାନେ କାହିଁକି ନିଜ ସମ୍ପତ୍ତି ତଥ୍ୟ ଦାଖଲ କରିବାରେ ପଛୁଆହେଉଛନ୍ତି ତାହାକୁ ନେଇ ସାଧାରଣ ମଧ୍ୟରେ ପ୍ରଶ୍ନ ଉଠିଛି।ସରକାରୀ କର୍ମଚାରୀମାନଙ୍କ ସମ୍ପତ୍ତି ତଥ୍ୟ ଦାଖଲ କରାଯିବା ଦ୍ୱାରା ପ୍ରଶାସନରେ ପାରଦର୍ଶିତା ବଢ଼ିବା ସହ ଦୁର୍ନୀତି ନିୟନ୍ତ୍ରଣରେ ସହାୟକ ହେବ ବୋଲି ସରକାରଙ୍କ ମତ ରହିଛି। ତେଣୁ ମାର୍ଚ୍ଚ ୩୧ ପୂର୍ବରୁ ସମସ୍ତ ସରକାରୀ କର୍ମଚାରୀ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *