ନ୍ୟୁଜ ଡେକ୍ସ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ସରକାରର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେଉଥିବା ଏହି ବୈଠକକୁ ରାଜନୈତିକ ଓ ପ୍ରଶାସନିକ ମହଳରେ ବେଶ୍ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକଳାପ, ବିଭିନ୍ନ ଯୋଜନାର ଅଗ୍ରଗତି ଓ ଆଗାମୀ ରଣନୀତି ନେଇ ଏହି ବୈଠକରେ ବ୍ୟାପକ ଆଲୋଚନା ହେବାର ସମ୍ଭାବନା ରହିଛି।
ସୂଚନା ଅନୁସାରେ, ଲୋକସେବା ଭବନରେ ସକାଳ ସାଢ଼େ ୧୧ଟାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ସମସ୍ତ ମନ୍ତ୍ରୀ ଉପସ୍ଥିତ ରହିବେ ଏବଂ ନିଜ-ନିଜ ବିଭାଗର କାର୍ଯ୍ୟକ୍ରମ, ବିକାଶମୂଳକ ଯୋଜନା ଓ ଏପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ।
ସରକାରର ଦୁଇ ବର୍ଷ ପୂର୍ତ୍ତିକୁ ନେଇ ଆଗାମୀ ଦିନରେ କେଉଁଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ଓ ସାଧାରଣ ଲୋକଙ୍କ ନିକଟକୁ ସରକାରଙ୍କ ସଫଳତା କିପରି ପହଞ୍ଚାଯିବ, ସେନେଇ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇପାରେ। ଏହାସହ ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତା ଓ ଆଗାମୀ ଲକ୍ଷ୍ୟ ନିର୍ଦ୍ଧାରଣ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି। ଏହି ବୈଠକକୁ ସରକାରଙ୍କ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

