Fri. Jun 5th, 2026

ନ୍ୟୁଜ ଡେକ୍ସ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଆନୁକୂଲ୍ୟରେ ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଫଳ ପ୍ରକାଶ ପାଇଥିବାବେଳେ ଡିଏଭି ପୋଖରୀପୁଟ ବିଦ୍ୟାଳୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିଦ୍ୟାଳୟର ୨୭୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୧ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟର ସୁନାମ ଅକ୍ଷୁଣ୍ଣ ରଖିଛନ୍ତି।ବିଜ୍ଞାନ ବିଭାଗରେ ବିଦ୍ୟାଳୟର ସାମଗ୍ରିକ ସଫଳତା ହାର ୮୦.୦୪ ପ୍ରତିଶତ ରହିଥିବାବେଳେ ବାଣିଜ୍ୟ ବିଭାଗରେ ୮୮.୮୪ ପ୍ରତିଶତ ଓ କଳା ବିଭାଗରେ ୮୯.୬୧ ପ୍ରତିଶତ ଫଳାଫଳ ରହିଛି।

ତିନୋଟି ବିଭାଗରେ ଛାତ୍ରଛାତ୍ରୀମାନେ ଉତ୍କୃଷ୍ଟ ପ୍ରଦର୍ଶନ କରି ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି।ବିଜ୍ଞାନ ବିଭାଗରେ ଶୁଭମ ଶାଶ୍ୱତ ଓଝା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଶ୍ରୀମୟୀ ପାଣିଗ୍ରାହୀ ଦ୍ୱିତୀୟ ଓ ଅସ୍ମିତ୍ ହୋତା ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ବାଣିଜ୍ୟ ବିଭାଗରେ ମଧୁସ୍ମିତା ଜେନା ଓ ଶାଶ୍ୱତ ଦାଶ ଯୁଗ୍ମ ଭାବେ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ରିତିକା ଯୋଶୀ ଦ୍ୱିତୀୟ ଓ ପ୍ରିୟାଂଶୁ ମହାନ୍ତି ତୃତୀୟ ସ୍ଥାନରେ ରହିଛନ୍ତି। କଳା ବିଭାଗରେ ସ୍ୱୟଂଶିଖା ପଟ୍ଟନାୟକ ପ୍ରଥମ, ସମୃଦ୍ଧି ସମ୍ପଦା ଦ୍ୱିତୀୟ ଓ ସମୃଦ୍ଧି ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନେ ଏହାର ଶ୍ରେୟ ଈଶ୍ୱରଙ୍କ ଆଶୀର୍ବାଦ, ମାତାପିତାଙ୍କ ସହଯୋଗ ଓ ପରାମର୍ଶ ସହ ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ମାର୍ଗଦର୍ଶନକୁ ଦେଇଛନ୍ତି।

ଅଧିକାଂଶ ଛାତ୍ରଛାତ୍ରୀ ବିଷୟଭିତ୍ତିକ ଶତପ୍ରତିଶତ ନମ୍ବର ରଖି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।ଏହି ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍‌ ମଦନ ମୋହନ ପଣ୍ଡା, ଡିଏଭି ଶିକ୍ଷାନୁଷ୍ଠାନ ସମୂହ ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ ଓ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କ ଉତ୍ତରୋତ୍ତର ଉନ୍ନତି ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *