ନ୍ୟୁଜ ଡେକ୍ସ : ରାଜ୍ୟ ସରକାର ସରକାରୀ ବ୍ୟବହାର ପାଇଁ ଭଡ଼ାରେ ଇଲେକ୍ଟ୍ରିକ୍ ଯାନ (ଇଭି) ନିୟୋଜନ କରିବାକୁ ନୂତନ ବ୍ୟବସ୍ଥା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ ବିଭିନ୍ନ ପ୍ରଶାସନିକ ସ୍ତର ପାଇଁ ଇଭି ଭଡ଼ା ଦେୟ ଧାର୍ଯ୍ୟ କରାଯାଇଛି। ସରକାରୀ କାର୍ଯ୍ୟକୁ ପରିବେଶମିତ୍ର ଓ ଆର୍ଥିକ ଭାବେ ସୁସ୍ଥିର କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି।ନିୟମ ଅନୁଯାୟୀ, ବ୍ଲକ୍ ଓ ତହସିଲ ସ୍ତର ପାଇଁ ମାସିକ ୫୫ ହଜାର ଟଙ୍କା ଭଡ଼ା ଧାର୍ଯ୍ୟ କରାଯାଇଛି।
ସ୍ୱତନ୍ତ୍ର ସଚିବ ଓ ନିର୍ଦ୍ଦେଶକ ସ୍ତର ପାଇଁ ୫୦ ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ସେହିପରି ଜିଲ୍ଲା ଜଜ୍, ଜିଲ୍ଲାପାଳ ଏବଂ ଏସ୍ପିଙ୍କ ପାଇଁ ମାସିକ ୬୦ ହଜାର ଟଙ୍କା ଭଡ଼ା ରଖାଯାଇଛି।ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବଙ୍କ ପାଇଁ ୬୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନରଙ୍କ ପାଇଁ ମାସିକ ୭୦ ହଜାର ଟଙ୍କା ଭଡ଼ା ରହିଛି। ସର୍ବୋଚ୍ଚ ସ୍ତରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ନ୍ୟାୟାଧୀଶ ଓ ମନ୍ତ୍ରୀମାନଙ୍କ ପାଇଁ ୮୦ ହଜାର ଟଙ୍କା ଭଡ଼ା ନିର୍ଦ୍ଧାରଣ କରାଯାଇଛି।ଏହି ଭଡ଼ା ଦେୟରେ ଚାର୍ଜିଂ ଖର୍ଚ୍ଚ ଅନ୍ତର୍ଭୁକ୍ତ ହେବ ନାହିଁ।
ଇଭି ଚାର୍ଜିଂ ପାଇଁ କିଲୋମିଟର ପିଛା ୨ ଟଙ୍କା ହାରରେ ଅଲଗା ଦେୟ ପ୍ରଦାନ କରାଯିବ। ସୂଚନା ଅନୁଯାୟୀ, ପଶ୍ଚିମ ଏସିଆ ସଙ୍କଟ ଓ ଇନ୍ଧନ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବଡ଼ ନୀତିଗତ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରୀ କାର୍ଯ୍ୟ ପାଇଁ କେବଳ ଇଲେକ୍ଟ୍ରିକ୍ ଯାନ କିଣିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏହି ନିୟମ ଜୁନ ୧, ୨୦୨୬ ଠାରୁ ଲାଗୁ ହୋଇଛି।

