ନ୍ୟୁଜ ଡେକ୍ସ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପିପିଲି ତହସିଲ ଅନ୍ତର୍ଗତ ଜଗନ୍ନାଥପୁର ମୌଜାରେ ୫ ଏକରରୁ ଅଧିକ ଜମି ଉପରେ ଏକ ଅତ୍ୟାଧୁନିକ ‘ପିପିଲି ଚାନ୍ଦୁଆ ହସ୍ତଶିଳ୍ପ ହବ୍’ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରାୟ ୮୦ କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ।ପାଞ୍ଚ ମହଲା ବିଶିଷ୍ଟ ଏହି ସମନ୍ୱିତ ‘କ୍ରାଫ୍ଟ, କଲ୍ଚର ଆଣ୍ଡ ଟୁରିଜମ୍ ହବ୍’ରେ ୫୦ଟି ବ୍ୟବସାୟିକ ଦୋକାନ, ୬ଟି ସରକାରୀ ସୋ-ରୁମ୍, ଲାଇଭ୍ ଡେମୋନଷ୍ଟ୍ରେସନ୍ କେନ୍ଦ୍ର, ଟ୍ରେନିଂ ସେଣ୍ଟର, ଅଡିଓ-ଭିଜୁଆଲ୍ ଗ୍ୟାଲେରୀ, ମୁକ୍ତ ଆକାଶ ରଙ୍ଗମଞ୍ଚ ଏବଂ ଓଡ଼ିଆ ଫୁଡ୍ କୋର୍ଟ ସହ ଅନେକ ଅତ୍ୟାଧୁନିକ ସୁବିଧା ରହିବ।
ଏହି ହବ୍ରେ ଚାନ୍ଦୁଆ ସହ ଓଡ଼ିଶାର ୬୪ଟି ଅନୁମୋଦିତ ହସ୍ତଶିଳ୍ପ ଏବଂ ୬ଟି ଜିଆଇ ମାନ୍ୟତାପ୍ରାପ୍ତ କଳାର ପ୍ରଦର୍ଶନ ଓ ବିକ୍ରୟ ବ୍ୟବସ୍ଥା ହେବ। ଏହା ରାଜ୍ୟର ପାରମ୍ପରିକ କଳାକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାର ସହ ଯୋଡ଼ିବାରେ ସହାୟକ ହେବ ବୋଲି ଆଶା କରାଯାଇଛି। ମୁଖ୍ୟମନ୍ତ୍ରୀ ପିପିଲି ବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଏହି ପ୍ରକଳ୍ପ ଦ୍ୱାରା ପିପିଲି ଓ ଆଖପାଖ ଅଞ୍ଚଳର ୬ ହଜାରରୁ ଅଧିକ କାରିଗର ସିଧାସଳଖ ଉପକୃତ ହେବେ। କାରିଗରମାନଙ୍କୁ ସୁଲଭ ଦରରେ କଞ୍ଚାମାଲ ଯୋଗାଇବା ପାଇଁ ଏଠାରେ ‘ର ମଟେରିଆଲ ବ୍ୟାଙ୍କ’ ସ୍ଥାପନ କରାଯିବ।ଇ-କମର୍ସ ଯୁଗକୁ ଧ୍ୟାନରେ ରଖି କାରିଗର, ବିଶେଷକରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଡିଜିଟାଲ୍ ମାର୍କେଟିଂ ଓ ପ୍ୟାକେଜିଂ ପ୍ରଶିକ୍ଷଣ ଦେଇ ସଶକ୍ତ କରାଯିବ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’ ଆହ୍ୱାନକୁ ଆଧାର କରି ପିପିଲି ଚାନ୍ଦୁଆକୁ ବିଶ୍ୱ ବଜାର ସହ ଯୋଡ଼ିବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ୨୦୩୬ ଶତବାର୍ଷିକୀ ଓ ୨୦୪୭ ସ୍ୱାଧୀନତାର ଶତବର୍ଷ ପୂର୍ତ୍ତିକୁ ଆଖିଆଗରେ ରଖି ଏହି ହବ୍ ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନରେ ମାଇଲଖୁଣ୍ଟ ହେବ ବୋଲି ସେ କହିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଚାନ୍ଦୁଆ ଶିଳ୍ପୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସମ୍ମାନିତ କରିଥିଲେ।

