ନ୍ୟୁଜ ଡେକ୍ସ : ରାଜ୍ୟର ବିଭିନ୍ନ ସ୍ଥାନର ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ମୂଳ ଓଡ଼ିଆ ନାମ ପୁନଃସ୍ଥାପନ କରିବା ପାଇଁ ବିଶେଷଜ୍ଞ କମିଟି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୁପାରିସ କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଗଠିତ ଏହି କମିଟିର ଦ୍ୱିତୀୟ ବୈଠକ ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ଓଡ଼ିଆ ଭାଷା, ଇତିହାସ, ଭୂଗୋଳ ଓ ପ୍ରଶାସନ କ୍ଷେତ୍ରର ବିଶେଷଜ୍ଞମାନେ ଯୋଗଦେଇଥିଲେ। କମିଟି ପକ୍ଷରୁ ୫୦ରୁ ଅଧିକ ସ୍ଥାନର ନାମକୁ ସେମାନଙ୍କର ମୂଳ ଓଡ଼ିଆ ଉଚ୍ଚାରଣ ଓ ଐତିହାସିକ ପରିଚୟ ଅନୁଯାୟୀ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଛି।କମିଟିର ମତାନୁସାରେ, ଇଂରାଜୀ ଶାସନ କାଳ ଓ ପରବର୍ତ୍ତୀ ସମୟରେ ଅନେକ ସ୍ଥାନର ନାମର ଉଚ୍ଚାରଣ ଓ ବନାନ ବିକୃତ ହୋଇଯାଇଥିଲା।
ଏହା ଫଳରେ ମୂଳ ଐତିହାସିକ ଓ ଭାଷାଗତ ପରିଚୟ କ୍ଷୟ ହୋଇଥିଲା।ମୂଳ ଓଡ଼ିଆ ନାମ ପୁନଃସ୍ଥାପନ ହେଲେ ରାଜ୍ୟର ସାଂସ୍କୃତିକ ପରିଚୟ ଅଧିକ ସୁଦୃଢ଼ ହେବ ବୋଲି କମିଟି ମତ ପ୍ରକାଶ କରିଛି। ବୈଠକରେ ଗୃହୀତ ସୁପାରିସଗୁଡ଼ିକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ ଏବଂ ସରକାରୀ ଅନୁମୋଦନ ପରେ ସମ୍ପୃକ୍ତ ସ୍ଥାନଗୁଡ଼ିକର ନାମ ପରିବର୍ତ୍ତନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

