ନ୍ୟୁଜ ଡେକ୍ସ : ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ନ୍ୟୁ ଆଜାଦନଗରରେ ବୋମା ତିଆରି ସମୟରେ ଘଟିଥିବା ବିସ୍ଫୋରଣ ଘଟଣା ଏବେ ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଛି। ଘଟଣାରେ ବ୍ୟବହୃତ ରାସାୟନିକ ପଦାର୍ଥ ହେକ୍ସାହାଇଡ୍ରା-ଟ୍ରାଇନାଇଟ୍ରୋ-ଟ୍ରାୟାଜାଇନ୍ ଥିବା ପ୍ରମାଣ ମିଳିବା ପରେ ମାମଲାକୁ ଗମ୍ଭୀରତାର ସହ ନେଇଛି ଏନଆଇଏ।ଗତ ୨୭ ତାରିଖ ଅପରାହ୍ଣ ପ୍ରାୟ ୨ଟା ୪୫ ମିନିଟ୍ରେ ଭଡାଘର ଛାତ ଉପରେ ସାହାନବାଜ ମଲ୍ଲିକ ଓରଫ୍ ମଫି ବୋମା ତିଆରି କରୁଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା।
ଏହି କାର୍ଯ୍ୟରେ ତାଙ୍କୁ ଅମୀୟରଞ୍ଜନ ମଲ୍ଲିକ ସହଯୋଗ କରୁଥିଲେ। ମଫିର ମା ଲିଜାତୁନ ବିବି ପାଖରେ ଉପସ୍ଥିତ ଥିବା ବେଳେ, ଟିକିଏ ଦୂରେ ପ୍ରେମିକା ତୃପ୍ତିମୟୀ ମାହାଲ ଥିଲେ। ବୋମା ଭିଡ଼ୁଥିବା ସମୟରେ ହଟାତ୍ ଏହା ବିସ୍ଫୋରଣ ହୋଇଥିଲା।ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ ବୋମା ତିଆରିରେ ହେକ୍ସାହାଇଡ୍ରା-ଟ୍ରାଇନାଇଟ୍ରୋ-ଟ୍ରାୟାଜାଇନ୍ ଭଳି ରାସାୟନିକ ବ୍ୟବହାର ହୋଇଥିଲା, ଯାହା ଆରଡିଏକ୍ସରେ ବ୍ୟବହୃତ ହୁଏ। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ମାମଲା ତଦନ୍ତ ଏନଆଇଏ ଟିମ୍କୁ ହସ୍ତାନ୍ତର କରାଯାଇଥିଲା। ଏନଆଇଏ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ହସ୍ପିଟାଲରେ ଆହତମାନଙ୍କୁ ଜେରା କରିଥିଲେ। ବିସ୍ଫୋରଣରେ ମଫି ଓ ତାଙ୍କ ମାଙ୍କ ମୃତ୍ୟୁ ହୋଇସାରିଛି। ଏବେ ତଦନ୍ତକାରୀ ଅଧିକାରୀଙ୍କ ପାଖରେ ମୁଖ୍ୟତଃ ଦୁଇଟି ସୂତ୍ର ରହିଛି – ଚିକିତ୍ସାଧୀନ ଦୁଇ ଆହତ ଓ ମଫିର ମୋବାଇଲ୍।
ଦୁଇ ଆହତ ମୁହଁ ଖୋଲୁନଥିବା ବେଳେ ଏବେ ତଦନ୍ତର ଶେଷ ଆଶା ମଫିର ମୋବାଇଲ୍। ବିସ୍ଫୋରଣରେ ମୋବାଇଲ୍ ଭାଙ୍ଗିଯାଇଥିବାରୁ ତାହାକୁ ଲ୍ୟାବରେ ପରୀକ୍ଷା ପାଇଁ ପଠାଯାଇଛି।ଲ୍ୟାବ୍ରୁ ରିପୋର୍ଟ ଆସିଲେ ଏହି ରାସାୟନିକ କେଉଁଠୁ ଆଣାଯାଇଥିଲା, ବୋମା କାହା ପାଇଁ ତିଆରି ହେଉଥିଲା ଏବଂ କେତେ ଟଙ୍କାରେ ଡିଲ୍ ହୋଇଥିଲା, ସେସବୁ ତଥ୍ୟ ସ୍ପଷ୍ଟ ହେବ। ଗତ କିଛି ମାସ ଧରି ମଫି ସହ ହୋଇଥିବା ଟଙ୍କା ଲେନଦେନରେ ଯାହାଙ୍କ ନାମ ସାମ୍ନାକୁ ଆସିବ, ସେମାନଙ୍କୁ ମଧ୍ୟ ଏନଆଇଏ ତଦନ୍ତ ପରିସରଭୁକ୍ତ କରିବ।

