ନ୍ୟୁଜ ଡେକ୍ସ : ଚଳିତ ବର୍ଷ ସେପ୍ଟେମ୍ବର ମାସରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିବେ। ଆଜି ରୁଷ ସରକାର ପକ୍ଷରୁ ସୂଚନା ଦିଆଯାଇଛି ଯେ, ପୁଟିନ ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୨୦୨୫ରେ ରୁଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ତାଙ୍କୁ ଏହି ସମ୍ମିଳନୀ ପାଇଁ ଆନୁଷ୍ଠାନିକ ନିମନ୍ତ୍ରଣ ଜଣାଇଥିଲେ।
ବର୍ଷକ ମଧ୍ୟରେ ଏହା ପୁଟିନଙ୍କ ଦ୍ୱିତୀୟ ଭାରତ ଗସ୍ତ ହେବ।ସେପଟେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଚଳିତ ବର୍ଷ ରୁଷ ଗସ୍ତ କରିବେ ବୋଲି ସୂଚନା ମିଳିଛି। ଦୁଇ ଦେଶ ମଧ୍ୟରେ କୂଟନୀତିକ ଓ ରଣନୀତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ଏହି ଗସ୍ତଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଦେଖାଯାଉଛି। ପୁଟିନ ଏହାପୂର୍ବରୁ ଡିସେମ୍ବର ୨୦୨୫ରେ ଭାରତ ଗସ୍ତରେ ଆସିଥିଲେ।
ସେହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ୟୁକ୍ରେନ ଯୁଦ୍ଧ ଆରମ୍ଭ ପରେ ତାଙ୍କର ସେହି ଭାରତ ଗସ୍ତକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।ସୂଚନାଯୋଗ୍ୟ, ପୁଟିନ ଶେଷ ଥର ପାଇଁ ୨୦୨୧ ମସିହାରେ ନୂଆଦିଲ୍ଲୀ ଗସ୍ତ କରିଥିଲେ। ଏବେ ପୁଣିଥରେ ତାଙ୍କ ଭାରତ ଆଗମନକୁ ନେଇ ଆନ୍ତର୍ଜାତିକ ରାଜନୀତିରେ ଚର୍ଚ୍ଚା ବଢ଼ିଛି।

