Thu. Jun 4th, 2026

ନ୍ୟୁଜ ଡେକ୍ସ : ବୁଲା କୁକୁର ସମସ୍ୟାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୁକୁର ପ୍ରେମୀଙ୍କ ଆବେଦନକୁ ଖାରଜ କରି ସର୍ବୋଚ୍ଚ ଅଦାଲତ ହସ୍ପିଟାଲ, ସ୍କୁଲ, ବସ୍ ଷ୍ଟେସନ, ରେଳ ଷ୍ଟେସନ ଏବଂ ଅନ୍ୟ ସାର୍ବଜନୀନ ସ୍ଥାନରୁ ବୁଲା କୁକୁରମାନଙ୍କୁ ହଟାଇବାକୁ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶକୁ କାୟମ ରଖିଛନ୍ତି। ନଭେମ୍ବର ୨୦୨୫ରେ ଜାରି ହୋଇଥିବା ଏହି ନିର୍ଦ୍ଦେଶ ଅବିକଳ ରହିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ବିଚାରପତି ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଏବଂ ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ପଶୁ କଲ୍ୟାଣ ବୋର୍ଡ ପକ୍ଷରୁ ଦାଖଲ ସମସ୍ତ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି।କୋର୍ଟ କହିଛନ୍ତି ଯେ, ବୁଲା କୁକୁର ଆକ୍ରମଣ ଜନସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି। ବିଶେଷ କରି ପିଲା, ବୃଦ୍ଧ ଏବଂ ବିଦେଶୀ ପର୍ଯ୍ୟଟକମାନେ ବୁଲା କୁକୁର ଆକ୍ରମଣରେ ଅଧିକ ପ୍ରଭାବିତ ହେଉଛନ୍ତି। ଏନଏଚ୍‌ ଏବଂ ଏକ୍ସପ୍ରେସ୍‌ ୱେରୁ ବୁଲା କୁକୁର ଓ ଗାଈମାନଙ୍କୁ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସୁପ୍ରିମକୋର୍ଟ ରାଜ୍ୟ ସରକାରମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ୭ ନଭେମ୍ବର ୨୦୨୫ର ନିର୍ଦ୍ଦେଶକୁ ଅନେକ ରାଜ୍ୟ ଠିକ୍ ଭାବରେ ପାଳନ କରିନାହାନ୍ତି। ଏହାକୁ କୋର୍ଟ ଅବମାନନା ଭାବେ ଗଣାଯିବ ବୋଲି ସତର୍କ କରାଯାଇଛି। ପଶୁ ଜନ୍ମ ନିୟନ୍ତ୍ରଣ ନିୟମ ଯଦି ସଠିକ୍ ଭାବେ ପାଳନ ହୋଇଥାନ୍ତା, ତେବେ ଏପରି ପରିସ୍ଥିତି ଉପୁଜିନଥାନ୍ତା ବୋଲି କୋର୍ଟ ମତ ପ୍ରକାଶ କରିଛନ୍ତି।କୋର୍ଟ ପୂର୍ବରୁ ବୁଲା କୁକୁରଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ, ବନ୍ଧ୍ୟାକରଣ ଓ ଟୀକାକରଣ ଉପରେ ଗୁରୁତ୍ୱ ଦେଇଥିଲେ।

ପୌର ନିଗମଗୁଡିକୁ ବୁଲା କୁକୁରମାନଙ୍କୁ ଧରି ବନ୍ଧ୍ୟାକରଣ ଓ ଟୀକାକରଣ ପରେ ସେମାନଙ୍କୁ ପୁଣି ସେହି ଅଞ୍ଚଳରେ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ସୁପ୍ରିମକୋର୍ଟ ଉଲ୍ଲେଖ କରିଛନ୍ତି ଯେ, କେବଳ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଚଳିତ ବର୍ଷ ଜାନୁଆରୀରୁ ୩୧ଟି କୁକୁର କାମୁଡ଼ା ଘଟଣା ଘଟିଛି। ଦେଶରେ ରାବିଜ୍ ରୋଗ ଯୋଗୁଁ ଅନେକ ମୃତ୍ୟୁ ମଧ୍ୟ ଘଟିଛି। ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *