ନ୍ୟୁଜ ଡେକ୍ସ : ଦେଶରେ ପୁଣି ଥରେ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ପଡ଼ିଛି। ପେଟ୍ରୋଲିୟମ୍ କମ୍ପାନୀଗୁଡ଼ିକ ଇନ୍ଧନ ଦରରେ ବଡ଼ ଧରଣର ବୃଦ୍ଧି କରି ସାଧାରଣ ଲୋକଙ୍କୁ ଝଟକା ଦେଇଛନ୍ତି। ସମ୍ପ୍ରତି ଦେଶର ପ୍ରାୟ ୧୫ଟି ରାଜ୍ୟରେ ପେଟ୍ରୋଲ ଦର ଲିଟର ପ୍ରତି ୧୦୦ ଟଙ୍କା ସୀମା ପାର୍ କରିଯାଇଛି।ତେଲ କମ୍ପାନୀଗୁଡ଼ିକ ନିକଟରେ ପେଟ୍ରୋଲ ଏବଂ ଡିଜେଲ ଦରରେ ଲିଟର ପିଛା ପ୍ରାୟ ୧ ଟଙ୍କା ବୃଦ୍ଧି କରିଥିବାବେଳେ ଏହା ପୂର୍ବରୁ ମଧ୍ୟ ୩ ଟଙ୍କା ଲେଖାଏଁ ବୃଦ୍ଧି ରେକର୍ଡ ହୋଇଥିଲା।
ବର୍ଷ ୨୦୨୨ ପରଠାରୁ ଇନ୍ଧନ ଦରରେ ଏହା ସବୁଠାରୁ ବଡ଼ ଉପରମୁହାଁ ଟ୍ରେଣ୍ଡ୍ ବୋଲି କୁହାଯାଉଛି। ତେବେ ଆଜି ବୁଧବାର ଘରୋଇ ବଜାରରେ ତେଲ ଦର ସ୍ଥିର ରହିଥିବାରୁ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ର ଅହେତୁକ ମୂଲ୍ୟବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଭୂ-ରାଜନୈତିକ ସଂକଟ ଓ ଯୁଦ୍ଧ ପରିସ୍ଥିତି ଯୋଗୁଁ ବିଶ୍ୱ ବଜାରରେ ଅଶୋଧିତ ତେଲର ଦର ବ୍ୟାରେଲ ପିଛା ପ୍ରାୟ ୭୦ ଡଲାରରୁ ବଢ଼ି ୧୧୦ ଡଲାର ସୀମା ପାର୍ କରିଯାଇଛି। ଏହାର ପ୍ରଭାବରେ ଭାରତର ଅଏଲ୍ ମାର୍କେଟିଂ କମ୍ପାନୀଗୁଡ଼ିକ କ୍ଷତି ସହୁଥିବାରୁ ସେହି ବୋଝ ଗ୍ରାହକଙ୍କ ଉପରେ ପଡ଼ିଛି। ଦେଶର ବିଭିନ୍ନ ରାଜ୍ୟରେ ଭାଟ୍ ହାର ଭିନ୍ନ ଥିବାରୁ ସହର ଅନୁଯାୟୀ ଇନ୍ଧନ ଦରରେ ତାରତମ୍ୟ ଦେଖାଯାଉଛି। ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୮.୬୪ ଟଙ୍କା ଏବଂ ଡିଜେଲ ୯୧.୫୮ ଟଙ୍କା ରହିଛି।
ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୦୭.୫୯ ଟଙ୍କା ଏବଂ ଡିଜେଲ ୯୪.୦୮ ଟଙ୍କାରେ ବିକ୍ରି ହେଉଛି। ପାଟନାରେ ପେଟ୍ରୋଲ ଲିଟର ପିଛା ୧୧୦.୦୨ ଟଙ୍କା ହୋଇଥିବାବେଳେ ଡିଜେଲ ଦର ୯୬.୦୫ ଟଙ୍କାକୁ ପହଞ୍ଚିଛି। ଏହାସହ ନୋଏଡ଼ାରେ ପେଟ୍ରୋଲ ଦର ୯୮.୯୧ ଟଙ୍କା ଓ ଡିଜେଲ ୯୨.୨୧ ଟଙ୍କା ରହିଛି।ଇନ୍ଧନ ଦର ବୃଦ୍ଧି ଯୋଗୁଁ ପରିବହନ ଖର୍ଚ୍ଚ ବଢ଼ିବା ସହ ଦୈନନ୍ଦିନ ଜୀବନରେ ମହଙ୍ଗା ମାଡ଼ ଆହୁରି ବଢ଼ିବ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।

