Thu. Jun 4th, 2026

ନ୍ୟୁଜ ଡେକ୍ସ : ୨୦୧୨ ମସିହାର ବହୁଚର୍ଚ୍ଚିତ ‘ପାର୍କ ଷ୍ଟ୍ରିଟ୍ ଗଣଦୁଷ୍କର୍ମ ମାମଲା’ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହି ମାମଲାରେ ନିର୍ଭୀକ ଭାବେ ସତ୍ୟକୁ ସାମ୍ନାକୁ ଆଣି ସମଗ୍ର ଦେଶରେ ଚର୍ଚ୍ଚାରେ ଥିବା ପଶ୍ଚିମବଙ୍ଗ କ୍ୟାଡରର ଆଇପିଏସ୍ ଅଫିସର ଦମୟନ୍ତୀ ସେନଙ୍କୁ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ନୂଆ ଦାୟିତ୍ୱ ମିଳିଛି। ଦୀର୍ଘ ବର୍ଷ ଧରି ପ୍ରଶାସନିକ ଭାବେ ଅଣଦେଖା ହୋଇ ରହିଥିବା ଏହି ଅଧିକାରୀଙ୍କୁ ଏବେ ପୁଣି ଥରେ ମୁଖ୍ୟ ଭୂମିକାରେ ଆଣାଯାଇଛି।

ସେତେବେଳେ ମମତା ବାନାର୍ଜୀ ଏହି ସମ୍ବେଦନଶୀଳ ଘଟଣାକୁ ଏକ ‘ସଜାଯାଇଥିବା ନାଟକ’ ବୋଲି କହିଥିବାବେଳେ, ପୋଲିସ କମିଶନର ଭାବେ କାର୍ଯ୍ୟରତ ଥିବା ଦମୟନ୍ତୀ ସେନ ତଦନ୍ତ କରି ପ୍ରମାଣ କରିଥିଲେ ଯେ ପୀଡ଼ିତାଙ୍କ ସହ ପ୍ରକୃତରେ ଗଣଦୁଷ୍କର୍ମ ହୋଇଥିଲା। ତାଙ୍କ ଏହି ସ୍ପଷ୍ଟ ଏବଂ ନିର୍ଭୀକ ଅବସ୍ଥାନ ପରେ ତାଙ୍କୁ ସେହି ପଦବୀରୁ ବଦଳି କରାଯାଇଥିଲା ଏବଂ ଦୀର୍ଘ ସମୟ ଧରି ସାଇଡଲାଇନ୍ କରି ରଖାଯାଇଥିଲା। ଏବେ ପଶ୍ଚିମବଙ୍ଗରେ ରାଜନୈତିକ ପରିସ୍ଥିତି ବଦଳିଥିବାବେଳେ ନୂଆ ସରକାର ମହିଳା ସୁରକ୍ଷା ଓ ପୁରୁଣା ଅପରାଧ ମାମଲାର ପୁନଃ ତଦନ୍ତକୁ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗଠିତ ନୂତନ ‘ବେଙ୍ଗଲ ମହିଳା ଅପରାଧ କମିଶନ’ରେ ଦମୟନ୍ତୀ ସେନଙ୍କୁ ଶୀର୍ଷ ସ୍ତରର ଦାୟିତ୍ୱ ଦିଆଯାଇଛି।

ତାଙ୍କ ଦୀର୍ଘ ଅନୁଭବ ଓ ନିଷ୍ପକ୍ଷ ତଦନ୍ତ କ୍ଷମତାକୁ ଏବେ ରାଜ୍ୟ ସରକାର ବ୍ୟବହାର କରିବାକୁ ଯାଉଛନ୍ତି।ସୂଚନା ଅନୁସାରେ, ସନ୍ଦେଶଖାଲି ଭଳି ଚର୍ଚ୍ଚିତ ଘଟଣାଠାରୁ ଆରମ୍ଭ କରି କାମଦୁନି ଗଣଦୁଷ୍କର୍ମ ମାମଲା ଓ ଅନ୍ୟାନ୍ୟ ସମ୍ବେଦନଶୀଳ ମାମଲାର ପୁନଃ ସମୀକ୍ଷା ହେବାର ସମ୍ଭାବନା ରହିଛି। ପୂର୍ବ ସରକାର ଅମଳରେ ଯେଉଁଠାରେ ପ୍ରମାଣ ନଷ୍ଟ କରାଯାଇଥିଲା କିମ୍ବା ପୀଡ଼ିତାମାନେ ନ୍ୟାୟରୁ ବଞ୍ଚିତ ହୋଇଥିଲେ, ସେସବୁ ମାମଲାର ସତ୍ୟକୁ ପୁଣି ଥରେ ସାମ୍ନାକୁ ଆଣିବାକୁ ଏହି କମିଶନ ଚେଷ୍ଟା କରିବ ବୋଲି କୁହାଯାଉଛି।

ଦୀର୍ଘ ଦିନ ଧରି ନିରବ ରହିଥିବା ଦମୟନ୍ତୀ ସେନଙ୍କ ଏହି ପୁନର୍ବାସନକୁ ଏବେ ଅନେକେ ନ୍ୟାୟ ଓ ସତ୍ୟର ବିଜୟ ବୋଲି ଦେଖୁଛନ୍ତି। ତାଙ୍କ ନୂଆ ଭୂମିକା ମାଧ୍ୟମରେ ପଶ୍ଚିମବଙ୍ଗରେ ମହିଳା ବିରୋଧୀ ଅପରାଧ ମାମଲାର ତଦନ୍ତ ଆହୁରି ତ୍ୱରାନ୍ୱିତ ହେବା ସହ ଅନେକ ପୁରୁଣା ମାମଲାର ଲୁଚିଥିବା ସତ୍ୟ ସାମ୍ନାକୁ ଆସିପାରେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *