Mon. Jun 15th, 2026

ନ୍ୟୁଜ ଡେକ୍ସ : ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଇଚ୍ଛୁକ ଛାତ୍ରୀଛାତ୍ରମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ନାମଲେଖା ପାଇଁ ଆବେଦନର ଶେଷ ତାରିଖକୁ ଉଚ୍ଚଶିକ୍ଷା ବିଭାଗ ବୃଦ୍ଧି କରିଛି। ଏବେ ଛାତ୍ରୀଛାତ୍ରମାନେ ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଏହି ନିଷ୍ପତ୍ତି ଫଳରେ ଯେଉଁ ଛାତ୍ରୀଛାତ୍ରମାନେ ବିଭିନ୍ନ କାରଣରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବେଦନ କରିପାରିନଥିଲେ, ସେମାନଙ୍କୁ ଆଉ ଏକ ସୁଯୋଗ ମିଳିଛି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକ ଶ୍ରେଣୀରେ ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ କରାଯିବ। ଏହି ନୀତି ଅନୁସାରେ ଛାତ୍ରୀଛାତ୍ରମାନଙ୍କୁ ନିଜ ରୁଚି ଏବଂ ଭବିଷ୍ୟତ ଲକ୍ଷ୍ୟ ଅନୁଯାୟୀ ବିଷୟ ବାଛିବାର ସୁବିଧା ମିଳିବ।ଆବେଦନ ପ୍ରକ୍ରିୟା ସମୟରେ ଛାତ୍ରୀଛାତ୍ରମାନେ ନିଜ ପସନ୍ଦ ଅନୁଯାୟୀ ପ୍ରମୁଖ ବିଷୟ ଏବଂ ଉପବିଷୟ ଚୟନ କରିପାରିବେ। ଏହା ମାଧ୍ୟମରେ ସେମାନେ ନିଜର ଶିକ୍ଷାଗତ ଆଗ୍ରହ ଓ କ୍ୟାରିୟର ଯୋଜନା ଅନୁଯାୟୀ ପାଠ୍ୟକ୍ରମ ବାଛିବାର ସୁଯୋଗ ପାଇବେ।ସେହିପରି ପ୍ରଥମ ମେଧା ତାଲିକା ଜୁନ୍ ୨୨ ତାରିଖରେ ପ୍ରକାଶ ପାଇବ ବୋଲି ବିଭାଗ ସୂଚନା ଦେଇଛି।

ମେଧା ତାଲିକା ପ୍ରକାଶ ପରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ଏବଂ ପର୍ଯ୍ୟାୟକ୍ରମେ ଆସନ ବଣ୍ଟନ କରାଯିବ।ଉଲ୍ଲେଖଯୋଗ୍ୟ ଯେ, ଶିକ୍ଷାବର୍ଷ ୨୦୨୬-୨୭କୁ ଜୁଲାଇ ୧୦ ତାରିଖରୁ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିପାଇଁ ସମସ୍ତ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଉଚ୍ଚଶିକ୍ଷା ବିଭାଗ ପରାମର୍ଶ ଦେଇଛି। ନାମଲେଖା ପ୍ରକ୍ରିୟାକୁ ସ୍ୱଚ୍ଛ, ସରଳ ଏବଂ ଛାତ୍ରୀଛାତ୍ରବନ୍ଧବ କରିବା ପାଇଁ ଚଳିତ ବର୍ଷ ମଧ୍ୟ ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯିବ।

Leave a Reply

Your email address will not be published. Required fields are marked *