Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟର ମୁଖ୍ୟ ପ୍ରାଶାସନିକ କେନ୍ଦ୍ର ଲୋକସେବା ଭବନ ଖୁବଶୀଘ୍ର ଏକ ନୂଆ ଓ ଅତ୍ୟାଧୁନିକ ରୂପରେ ନଜର ଆସିବ। ସମ୍ପୂର୍ଣ୍ଣ ଲୋକସେବା ଭବନର ପୁନଃବିନ୍ୟାସ କରାଯିବାକୁ ସରକାର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଏହି ପ୍ରକଳ୍ପ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ପ୍ରସ୍ତୁତ ହୋଇସାରିଛି ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ଅନୁମୋଦନ କରିଛନ୍ତି।

ଏହି ନବୀକରଣ ଯୋଜନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଅତ୍ୟାଧୁନିକ ଅଣ୍ଡରଗ୍ରାଉଣ୍ଡ ପାର୍କିଂ ବ୍ୟବସ୍ଥା। ଲୋକସେବା ଭବନ ପରିସରରେ ଦୀର୍ଘଦିନ ଧରି ରହିଥିବା ଗାଡ଼ି ପାର୍କିଂ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବେସମେଣ୍ଟରେ ତଳକୁ ତଳ ତିନି ମହଲା ବିଶିଷ୍ଟ ସ୍ମାର୍ଟ ପାର୍କିଂ ନିର୍ମାଣ କରାଯିବ। ଏହି ପାର୍କିଂ ସ୍ଥଳରେ ଏକସାଥିରେ ୫୭୩ଟି କାର୍ ରଖିବାର ବ୍ୟବସ୍ଥା ରହିବ।ପାର୍କିଂ ପରିଚାଳନାକୁ ଅଧିକ ସୁରକ୍ଷିତ ଓ ସୁଚାଳିତ କରିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ପ୍ରଯୁକ୍ତିର ବ୍ୟବହାର କରାଯିବ।

ଏହି ପ୍ରଣାଳୀ ମାଧ୍ୟମରେ ଗାଡ଼ିର ନମ୍ବର ପ୍ଲେଟ୍ ସହିତ ଡ୍ରାଇଭରଙ୍କ ପରିଚୟକୁ ସହଜରେ ଚିହ୍ନଟ କରାଯିବ। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ଶେଷ ସୁଦ୍ଧା ଏହି ପୁନଃବିନ୍ୟାସ କାର୍ଯ୍ୟ ଆରମ୍ଭ ହେବ। ଏହି ପ୍ରକଳ୍ପ ସାକାର ହେଲେ ଲୋକସେବା ଭବନର କାୟାକଳ୍ପ ପରିବର୍ତ୍ତନ ହେବା ସହ ଏହା ଏକ ଅତ୍ୟାଧୁନିକ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ପ୍ରାଶାସନିକ ପରିସର ଭାବେ ଉଭା ହେବ।

Leave a Reply

Your email address will not be published. Required fields are marked *