Sun. Feb 22nd, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ପୁଣିଥରେ ଥଣ୍ଡାର ପ୍ରକୋପ ବଢ଼ିବ। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି। ଆଗାମୀ ୪ରୁ ୫ ଦିନ ମଧ୍ୟରେ ସାରା ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିଅସ୍‌ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଶୀତ ଆହୁରି ଅଧିକ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି।ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ଏବଂ ଶୀତଳ ବାୟୁ ପ୍ରବାହ ଯୋଗୁଁ ରାଜ୍ୟରେ ରାତିର ତାପମାତ୍ରା ହ୍ରାସ ପାଇବ।

ଫଳରେ ସକାଳ ଓ ରାତି ସମୟରେ ଅଧିକ ଥଣ୍ଡା ଅନୁଭୂତ ହେବ। ତେବେ ଏହି ଥଣ୍ଡା ପର୍ଯ୍ୟାୟ ପରେ, ୫ ଦିନ ଅତିକ୍ରମ କଲେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପୁଣି ବଢ଼ିବାର ସମ୍ଭାବନା ରହିଛି।ଥଣ୍ଡା ସହିତ ସହିତ କୁହୁଡ଼ି ମଧ୍ୟ ସାଧାରଣ ଜୀବନକୁ କଲବଲ କରୁଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ଥିବା ବେଳେ, ଅନେକ ସ୍ଥାନରେ ମଧ୍ୟମ ଓ ହାଲୁକା କୁହୁଡ଼ି ଦେଖାଦେଇପାରେ। ଏହା ଯୋଗୁଁ ସକାଳ ସମୟରେ ଦୃଶ୍ୟମାନତା କମିପାରେ ଏବଂ ଯାତାୟାତରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି। ଆଜି କୁହୁଡ଼ିକୁ ଦୃଷ୍ଟିରେ ରଖି କନ୍ଧମାଳ, କୋରାପୁଟ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, ବଲାଙ୍ଗିର ଏବଂ କଟକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଆସନ୍ତା ୭ ତାରିଖରେ ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, କଟକ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ମଧ୍ୟ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।ପାଣିପାଗ ବିଭାଗ ସ୍ପଷ୍ଟ କରିଛି ଯେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ବର୍ଷାର ସମ୍ଭାବନା ନାହିଁ। ଏହି ପରିସ୍ଥିତିରେ ସକାଳ ଓ ରାତି ସମୟରେ ଯାତାୟାତ କରୁଥିବା ଲୋକମାନଙ୍କୁ ସତର୍କ ରହିବା, ଗାଡ଼ି ଚଳାଚଳ ସମୟରେ ହେଡ୍‌ଲାଇଟ୍‌ ବ୍ୟବହାର କରିବା ଓ ଆବଶ୍ୟକ ଶୀତବସ୍ତ୍ର ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *