Sun. Apr 19th, 2026

ନ୍ୟୁଜ ଡେକ୍ସ : ଚିଲିକା ହ୍ରଦର ସାତପଡ଼ା ଅଞ୍ଚଳରେ ଆଜିଠାରୁ ପୁନଃ ସ୍ୱାଭାବିକ ହୋଇଛି ଡଙ୍ଗା ଚଳାଚଳ। ଘନ କୁହୁଡ଼ି ଯୋଗୁଁ ପୂର୍ବରୁ ଦିନ ୧୧ଟା ପର୍ଯ୍ୟନ୍ତ ଡଙ୍ଗା ଚଳାଚଳ ଉପରେ ଲାଗିଥିବା କଟକଣାକୁ ପ୍ରଶାସନ ପକ୍ଷରୁ ହଟାଇ ଦିଆଯାଇଛି। କୁହୁଡ଼ିର ପ୍ରଭାବ କମିବା ସହ ପାଣିପାଗ ସାଧାରଣ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।ତଥାପି ଯାତ୍ରୀମାନଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ସମସ୍ତ ଡଙ୍ଗା ଓ ଭସାପୋଲ ପାଇଁ କଡା ନିୟମ ଜାରି କରାଯାଇଛି।

ଲାଇଫ୍‌ ଜ୍ୟାକେଟ, ସେଫ୍‌ଟି ବେଲ୍ଟ ଓ ଆବଶ୍ୟକୀୟ ଜୀବନ ରକ୍ଷା ସରଞ୍ଜାମ ସହିତ ଯାତ୍ରା କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଉଲ୍ଲଂଘନ କରୁଥିବା ଡଙ୍ଗା କିମ୍ବା ଭସାପୋଲ ମାଲିକଙ୍କ ଲାଇସେନ୍ସ ରଦ୍ଧ କରାଯିବ ବୋଲି ପୁରୀ ଜିଲ୍ଲାପାଳ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି।ଉଲ୍ଲେଖଯୋଗ୍ୟ ଯେ, ଘନ କୁହୁଡ଼ି ଯୋଗୁଁ ଗତ କିଛି ଦିନ ଧରି ଚିଲିକାରେ ବାରମ୍ବାର ଡଙ୍ଗା ଚଳାଚଳରେ ବାଧା ସୃଷ୍ଟି ହେଉଥିଲା।

ଏକ ଦୁର୍ଘଟଣାରେ ଭସାପୋଲରୁ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଘଟଣା ପରେ ପ୍ରଶାସନ ଦିନ ୧୧ଟା ପର୍ଯ୍ୟନ୍ତ ଡଙ୍ଗା ଚଳାଚଳ ଉପରେ କଟକଣା ଲଗାଇଥିଲା। ଏବେ କଟକଣା ହଟିବା ସହ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶ୍ୱସ୍ତି ଦେଖାଦେଇଛି। ପ୍ରଶାସନ ପକ୍ଷରୁ ଯାତ୍ରୀମାନଙ୍କୁ ସୁରକ୍ଷା ନିୟମ ଅନୁସରଣ କରିବା ସହ ଡଙ୍ଗା ଚଳାଚଳ ସମୟରେ ସଚେତନ ରହିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *