Sun. Feb 22nd, 2026

ନ୍ୟୁଜ ଡେକ୍ସ : ଆସନ୍ତାକାଲି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଶ୍ରୀମୁଖ ସିଂହାର ସହ ବନକଲାଗି ନୀତି ସମ୍ପାଦିତ ହେବ। ଏହି ସ୍ୱତନ୍ତ୍ର ନୀତି ପାଇଁ ଅପରାହ୍ଣ ସମୟରେ ସର୍ବସାଧାରଣ ଭକ୍ତମାନଙ୍କ ଦର୍ଶନ ଉପରେ କଟକଣା ଲାଗୁ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବନକଲାଗି ଚାଲିଥିବା ସମୟରେ ଗର୍ଭଗୃହରେ ଠାକୁରଙ୍କ ଦର୍ଶନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ।

ମନ୍ଦିର ପରମ୍ପରା ଅନୁଯାୟୀ, ଦ୍ୱିତୀୟ ଭୋଗମଣ୍ଡପ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ଏହି ବିଶେଷ ବନକଲାଗି ନୀତି ଆରମ୍ଭ ହେବ। ଏହି ନୀତିରେ ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖରେ ପାରମ୍ପରିକ ରଙ୍ଗ, କଜଳ, ଚନ୍ଦନ ଓ ଅନ୍ୟାନ୍ୟ ସାମଗ୍ରୀ ଦ୍ୱାରା ସୁଶୋଭନ କରିଥାନ୍ତି। ବନକଲାଗି ମାଧ୍ୟମରେ ଠାକୁରଙ୍କ ଶ୍ରୀମୁଖ ଆହୁରି ଦୀପ୍ତିମାନ ଓ ନବ ରୂପରେ ଭକ୍ତମାନଙ୍କ ସମ୍ମୁଖରେ ପ୍ରକାଶ ପାଏ।ବନକଲାଗି ନୀତି ସମ୍ପୂର୍ଣ୍ଣ ହେବା ପରେ ଦତ୍ତମହାପାତ୍ର ସେବାୟତମାନେ ଗର୍ଭଗୃହ ବାହାରକୁ ଆସିବେ। ଏହା ପରେ ସିଂହାସନ ଧୁଆ, ମହାପ୍ରଭୁଙ୍କ ମହାସ୍ନାନ ସହ ଅନ୍ୟାନ୍ୟ ଅନୁଷ୍ଠାନିକ ନୀତି ସମ୍ପାଦିତ ହେବ।

ସମସ୍ତ ନୀତି ଶେଷ ହେବା ପରେ ପୁନଃ ଭକ୍ତମାନଙ୍କ ପାଇଁ ଠାକୁରଙ୍କ ଦର୍ଶନ ଆରମ୍ଭ ହେବ। ଏଥର ୩୪ ଦିନର ବ୍ୟବଧାନ ପରେ ମହାପ୍ରଭୁଙ୍କ ବନକଲାଗି ନୀତି ହେଉଛି। ଗତ ଡିସେମ୍ବର ମାସ ୩ ତାରିଖରେ ଶେଷଥର ପାଇଁ ବନକଲାଗି ନୀତି ସମ୍ପାଦିତ ହୋଇଥିଲା। ଏହାପରେ ଆସନ୍ତା ଜାନୁୟାରୀ ୭ ତାରିଖକୁ ବନକଲାଗି ପାଇଁ ସ୍ଥିର କରାଯାଇଛି।

ପୂର୍ବ ବର୍ଷଗୁଡ଼ିକରେ ସାଧାରଣତଃ ଡିସେମ୍ବର ୧୨ ରୁ ୨୦ ତାରିଖ ମଧ୍ୟରେ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇଥାଏ।ଶ୍ରୀମନ୍ଦିର ପରମ୍ପରାରେ ବନକଲାଗି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ଭାବେ ଗଣ୍ୟ। ଏହି ନୀତି ଦ୍ୱାରା ଠାକୁରଙ୍କ ଶ୍ରୀମୁଖ ଝଟକି ଉଠେ ଏବଂ ଭକ୍ତମାନେ ମହାପ୍ରଭୁଙ୍କୁ ଏକ ନୂତନ ଦୀପ୍ତିମୟ ରୂପରେ ଦର୍ଶନ କରିବାର ସୌଭାଗ୍ୟ ପାଆନ୍ତି। ଦର୍ଶନ କଟକଣାକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସରଣ କରିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *