Sat. Feb 21st, 2026

ନ୍ୟୁଜ ଡେକ୍ସ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଜାନୁଆରୀ ୬ ତାରିଖରେ କେନ୍ଦୁଝର ଜିଲା ସଦର ବ୍ଲକ ଅଧୀନ ରାଇକଳା ଗ୍ରାମର ଏକ ସାଧାରଣ ସାନ୍ତାଳ ଆଦିବାସୀ ପରିବାରରେ ତାଙ୍କର ଜନ୍ମ। ଅତ୍ୟନ୍ତ ସାଧାରଣ ପୃଷ୍ଠଭୂମିରୁ ଆସି ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦବୀ ପର୍ଯ୍ୟନ୍ତ ପହଞ୍ଚିବା ତାଙ୍କ ଜୀବନ ଯାତ୍ରା ଦୃଢ଼ ଇଚ୍ଛାଶକ୍ତି, ସଂଘର୍ଷ ଓ ନିଷ୍ଠାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ।

ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ ମା’ଙ୍କ ଦେହାନ୍ତ ପରେ ସାବତ ମା’ ନାଥମଣି ମାଝୀ ତାଙ୍କୁ ନିଜ ପୁଅ ଭଳି ସ୍ନେହ ଓ ଯତ୍ନରେ ବଡ଼ କରିଥିଲେ। ଶିକ୍ଷାଜୀବନରେ ସେ ୧୯୮୭ରେ ଝୁମ୍ପୁରା ହାଇସ୍କୁଲରୁ ମାଟ୍ରିକ୍‌ ପାସ୍‌ କରିଥିଲେ। ପରେ ୧୯୯୦ରେ ଆନନ୍ଦପୁର କଲେଜରୁ ଯୁକ୍ତ ୨, ୧୯୯୩ରେ ଚମ୍ପୁଆ ଚନ୍ଦ୍ରଶେଖର କଲେଜରୁ ସ୍ନାତକ ଏବଂ ପରେ ସ୍ନାତକୋତ୍ତର (ଏମ୍‌ଏ) ଡିଗ୍ରୀ ହାସଲ କରିଥିଲେ। ଏହାପରେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟରୁ ଏଲଏଲ୍‌ବି ପାସ୍‌ କରିଥିଲେ। ରାଜନୀତିରେ ପ୍ରବେଶ ପୂର୍ବରୁ ସେ ଝୁମ୍ପୁରାସ୍ଥିତ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ (ଗୁରୁଜୀ) ଭାବେ କାର୍ଯ୍ୟ କରିଥିଲେ। ଶିକ୍ଷକତା ସମୟରୁ ହିଁ ସମାଜସେବା, ଶୃଙ୍ଖଳା ଓ ସାଧାରଣ ଜୀବନଯାପନ ତାଙ୍କ ଚରିତ୍ରର ମୂଳ ଆଧାର ହୋଇଉଠିଥିଲା।

୧୯୯୭ରେ ସେ ପ୍ରଥମେ ନିଜ ଗ୍ରାମପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇ ୨୦୦୦ ମସିହା ପର୍ଯ୍ୟନ୍ତ ଜନସେବା କରିଥିଲେ।ପରେ କେନ୍ଦୁଝର ସଦର ବିଧାନସଭା ଆସନରୁ ଭାଜପା ଟିକେଟରେ ୨୦୦୦, ୨୦୦୪, ୨୦୧୯ ଓ ୨୦୨୪ ନିର୍ବାଚନରେ ବିଜୟୀ ହୋଇ ସେ ନିଜର ଦୃଢ଼ ଲୋକପ୍ରିୟତା ସାବିତ୍ର କରିଛନ୍ତି। ୨୦୧୯ରୁ ୨୦୨୪ ମଧ୍ୟରେ ଭାଜପାର ମୁଖ୍ୟ ସଚେତକ ଭାବେ ବିଧାନସଭାରେ ସେ ଲୋକଙ୍କ ସମସ୍ୟାକୁ ଦୃଢ଼ ଓ ସ୍ପଷ୍ଟ ଭାବେ ଉପସ୍ଥାପନ କରି ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିଥିଲେ।ନିରାଡ଼ମ୍ବର ଜୀବନଶୈଳୀ, ସରଳତା ଓ ଲୋକମୁଖୀ ଭାବଧାରା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମଧ୍ୟ ସାଧାରଣ ଲୋକଙ୍କ ମନରେ ଗଭୀର ସ୍ଥାନ ରଖିଛନ୍ତି। ତାଙ୍କ ନେତୃତ୍ୱରେ ‘ବିକଶିତ ଓଡ଼ିଶା’ ଗଠନର ସ୍ୱପ୍ନ ସାକାର ହେବ ବୋଲି ରାଜ୍ୟବାସୀ ଆଶାବାଦୀ ରହିଛନ୍ତି।

Leave a Reply

Your email address will not be published. Required fields are marked *