ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ୧୦ ତାରିଖରୁ ଜାତୀୟସ୍ତରୀୟ ଶିଶିର ସରସ ମେଳା ଆରମ୍ଭ ହେବ। ଇଡକୋ ଗ୍ରାଉଣ୍ଡରେ ଆୟୋଜିତ ଏହି ମେଳା ୧୦ରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରାଜଧାନୀବାସୀ ଏବଂ ପର୍ଯ୍ୟଟକମାନେ ମେଳା ଉପଭୋଗ କରିପାରିବେ।ଚଳିତବର୍ଷ ମେଳାରେ ମୋଟ ୩୪୦ଟି ଷ୍ଟଲ ପଡିବ।
ଏଥିରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ସ୍ୱୟଂସହାୟକ ଗୋଷ୍ଠୀ (ଏସଏଚଜି), ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀମାନେ ଅଂଶଗ୍ରହଣ କରିବେ। ଏହାସହିତ ଦେଶର ୨୦ଟି ରାଜ୍ୟରୁ ଆସିଥିବା ଏସଏଚଜି, ଉତ୍ପାଦକ ଗୋଷ୍ଠୀ ଓ ଉଦ୍ୟୋଗୀମାନଙ୍କ ହାତତିଆରି ହସ୍ତଶିଳ୍ପ, ହସ୍ତତନ୍ତ ସାମଗ୍ରୀ ଓ ବିଭିନ୍ନ ପ୍ରକାର ଖାଦ୍ୟ ମସଲା ଉପଲବ୍ଧ ହେବ।
ମେଳାର ଆକର୍ଷଣ ଭାବେ ୩୫ଟି ସ୍ୱତନ୍ତ୍ର ଫୁଡ୍ ଷ୍ଟଲ ବ୍ୟବସ୍ଥା କରାଯାଇଛି। ଏହାସହ ପ୍ରତ୍ୟେକ ଦିନ ସନ୍ଧ୍ୟାବେଳେ ମେଳା ପ୍ରାଙ୍ଗଣରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ, ଯାହା ଦର୍ଶକଙ୍କୁ ଆକର୍ଷିତ କରିବ। ଚଳିତବର୍ଷ ଶିଶିର ସରସ ମେଳା ମାଧ୍ୟମରେ ପ୍ରାୟ ୩୦ କୋଟି ଟଙ୍କାର ବ୍ୟବସାୟ କରିବାର ଲକ୍ଷ୍ୟ ରଖାଯାଇଛି। ଏହି ମେଳା ରାଜ୍ୟ ସହିତ ସାରା ଦେଶର ହସ୍ତଶିଳ୍ପୀ ଓ ଉଦ୍ୟୋଗୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ପରିଗଣିତ ହେଉଛି।

