Sun. Feb 22nd, 2026

ନ୍ୟୁଜ ଡେକ୍ସ : ରାଉରକେଲାରେ ଘଟିଥିବା ଚାର୍ଟର୍ଡ ବିମାନ ଦୁର୍ଘଟଣାକୁ ନେଇ ରାଜ୍ୟ ଜୁଡ଼ା ଚିନ୍ତା ଓ ଉତ୍କଣ୍ଠା ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ। ଆହତ ହୋଇଥିବା ସମସ୍ତଙ୍କୁ ତୁରନ୍ତ ଏବଂ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ମାଧ୍ୟମରେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖି, ସେ ବ୍ୟକ୍ତିଗତ ଭାବେ ସମଗ୍ର ସ୍ଥିତି ଉପରେ ନଜର ରଖିଥିବା କଥା ଜଣାଇଛନ୍ତି। ସେଥିସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।ସୂଚନାଯୋଗ୍ୟ, ଶନିବାର ଅପରାହ୍ନ ସମୟରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ୯ ଆସନ ବିଶିଷ୍ଟ ଇଣ୍ଡିଆ ଓ୍ବାନ ଏୟାର ଚାର୍ଟର୍ଡ ବିମାନଟି ରାଉରକେଲା ବିମାନବନ୍ଦରରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ବିମାନବନ୍ଦରରୁ ପ୍ରାୟ ୧୦ରୁ ୧୫ କିଲୋମିଟର ଦୂରରେ ଥିବା ଜଲଦା–ରଘୁନାଥପାଲି ଅଞ୍ଚଳ ନିକଟରେ ହଠାତ୍ ତଳକୁ ଖସି ପଡ଼ିଥିଲା।ପ୍ରାଥମିକ ସୂଚନା ଅନୁଯାୟୀ, ବିମାନରେ କିଛି ପ୍ରାୟୋଗିକ ସମସ୍ୟା ଦେଖାଦେବା ପରେ ପାଇଲଟ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରିଥିଲେ।

କିନ୍ତୁ ଦ୍ରୁତ ଗତିରେ ତଳକୁ ଖସିପଡ଼ିବାରୁ ବିମାନଟି ଭୂମିରେ ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ୬ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ, ପୋଲିସ୍ ଓ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ବିମାନରେ ଥିବା ସମସ୍ତଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା।ଡାକ୍ତରମାନଙ୍କ ସୂଚନା ଅନୁଯାୟୀ, ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି।ମୁଖ୍ୟମନ୍ତ୍ରୀଙ୍କ ତତ୍ପରତା ଓ ନିର୍ଦ୍ଦେଶ ପରେ ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ହାଇ ଆଲର୍ଟରେ ରହିଛନ୍ତି। ଆହତଙ୍କ ଚିକିତ୍ସାରେ କୌଣସି ଅବହେଳା ନ ହେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *